ସୋସାଇଟିରେ ସାର ଘୋର ଅଭାବ, ଉତ୍ୟକ୍ତ ଚାଷୀ ସୋସାଇଟି ରେ ତାଲା ପକେଇବା ସହ ଦୀର୍ଘ ୩ଘଣ୍ଟା ଧରି ରାସ୍ତା ଅବରୋଧ ।

0 884

ଦିଗପହଣ୍ଡି,୧୦/୦୯(ପିପିଟି); ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୟୁରିଆ ସାରର ଅଭାବ ସମସ୍ୟା ନେଇ ଗୁରୁବାର ପୂର୍ବାହ୍ନରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ । ସୂଚନା ମୁତାବକ ଦିଗପହଣ୍ଡି ସହରରେ ବର୍ତ୍ତମାନ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ଧାନରୁଆ ସରିବା ପରେ ଫସଲ ଅମଳର ସଫଳ ରୂପାୟନ ନିମନ୍ତେ ୟୁରିଆ ସାରର ବ୍ୟାପକ ଆବଶ୍ୟକତା ରହିଥିବା ବେଳେ ଏହି ସାର ସ୍ଥାନୀୟ ସମବାୟ ସମିତିରେ ମିଳୁନଥିବା ଜଣାପଡିଛି । ଚାଷୀମାନେ ଟଙ୍କା ଧରି ବୁଲୁଥିଲେ ମଧ୍ୟ ସାର ପାଇପାରୁ ନାହାନ୍ତି । ଦିଗପହଣ୍ଡି ସହରରେ ୧୫ ଶହରୁ ଉର୍ଦ୍ଧ୍ବ ୟୁରିଆ ସାରର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ୨ଶହ ବସ୍ତା ସାର ସ୍ଥାନୀୟ ସେବା ସମବାୟ କେନ୍ଦ୍ରରେ ରହିଛି । ଏଭଳି ପରିସ୍ଥିତିରେ କେଉଁ ଚାଷୀକୁ ସାର ମିଳୁଛି ତ ଅନ୍ୟ କାହାକୁ ମିଳୁ ନାହିଁ । ଯାହାଫଳରେ ଗୁରୁବାର ସକାଳ ୯ ଘଣ୍ଟା ସମୟରେ ସମାଜସେବୀ କୁରେଶୁ ମହାରଣାଙ୍କ ନେତୃତ୍ବରେ ୨ ଶହରୁ ଊର୍ଦ୍ଧ୍ବ ଚାଷୀମାନେ ଏକତ୍ରିତ ହୋଇ ସମବାୟ କେନ୍ଦ୍ରରେ ପରିସରରେ ତାଲା ପକାଇବା ସହ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ସକାଳ ୯ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ପରେ ଉଭୟ ପଟରେ ଶତାଧିକ ଗାଡ଼ି ଅଟକି ରହିଥିଲେ । ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଚାଷୀମାନଙ୍କ ବିକ୍ଷୋଭ ଥମିନଥିଲା । ଏହାପରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନେତୃତ୍ବ ନେଇଥିବା ବରିଷ୍ଠ ଲୋକମାନଙ୍କ ସହ ଆଲୋଚନା ପରେ ଏକ ସପ୍ତାହ ଭିତରେ ସମସ୍ତ ଚାଷୀମାନଙ୍କୁ ଆବଶ୍ୟକ ଅନୁଯାୟୀ ୟୁରିଆ ସାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା । ଯାହାଫଳରେ ଗାଡି ଚଳାଚଳ ସ୍ବାଭାବିକ ରହିଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ଗଞ୍ଜାମ ଜିଲ୍ଲା ବିଜେପି ନେତା ପରେଶ ଚନ୍ଦ୍ର ରଥ କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ପଣ୍ଡା , ସିପିଆଇ (ଏମ୍) ଜିଲ୍ଲା ସମ୍ପାଦକ କୈଳାସ ସଢ଼ଙ୍ଗୀଙ୍କ ସମେତ ୨ ଶହରୁ ଊର୍ଦ୍ଧ୍ବ ଚାଷୀ ଉପସ୍ଥିତ ରହିଥିଲେ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.