ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ।

0 3

ଭୁବନେଶ୍ୱର, ୨୪/୧୦(ପିପିଟି): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଓ ଅନୁକୂଳ ପାଗ ନଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଧାରିତ ଓଡ଼ିଶା ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୨୮ ଓ ୨୯ ତାରିଖରେ ତାଙ୍କର ଦୁଇଦିନିଆ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ପାଣିପାଗ ଅନୁକୂଳ ନ ରହିବାର ଆଶଙ୍କା ଯୋଗୁଁ ଏହି ଗସ୍ତକୁ ପ୍ରାୟ ଏକ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ନୂଆ ଗସ୍ତ କାର୍ଯ୍ୟସୂଚୀ ନଭେମ୍ବର ୪ ଓ ୫ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଗସ୍ତ ବାତିଲ ହୋଇଥିବା ନେଇ ଔପଚାରିକ ଘୋଷଣା ହୋଇନଥିବାବେଳେ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ତାରିଖକୁ ସ୍ଥାନାନ୍ତର କରାଯାଇଛି।

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା। ନିଜ ଜନ୍ମମାଟି ରାଇରଙ୍ଗପୁରକୁ ଆସିବା ସହ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର ଏବଂ ଗୋରୁମହିଷାଣୀ ଅଞ୍ଚଳ ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର ଯୋଜନା ରହିଥିଲା। ଏହି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଥିବାବେଳେ ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓ ପାଣିପାଗ ସ୍ଥିତିକୁ ବିଚାରକୁ ନେଇ ଗସ୍ତ ସୂଚୀରେ ପରିବର୍ତ୍ତନ କରାଯାଇଛି। ନୂଆ ତାରିଖ ଅନୁଯାୟୀ, ନଭେମ୍ବର ୪ ଓ ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ସମ୍ପର୍କରେ ଆଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.