ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଲା: ୨୭ରୁ ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ।

0 10

ଭୁବନେଶ୍ୱର,୨୪/୧୦(ପିପିଟି): ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିଛି। ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ମାଡ଼ ହେଉ କି ନ ହେଉ, ଏହାର ପ୍ରଭାବରେ ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ପବନ ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୬ରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ୨୭ ଓ ୨୮ ତାରିଖରେ ଏହାର ତୀବ୍ରତା ବଢ଼ିପାରେ। କେତେକ ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ନଦୀର ଜଳସ୍ତର ବୃଦ୍ଧି ନେଇ ଚିନ୍ତା ପ୍ରକାଶ ପାଇଛି। ଦକ୍ଷିଣ ଓଡ଼ିଶାରେ ପବନର ବେଗ ୧୦୦ କିଲୋମିଟରରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଥିବାବେଳେ ପାରାଦୀପ ସମେତ ଉପକୂଳ ଅଞ୍ଚଳରେ ମଧ୍ୟ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ, ତୀବ୍ରତା ଓ ସ୍ଥଳଭାଗରେ ପ୍ରବେଶ ସ୍ଥାନ ସମ୍ପର୍କରେ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଗୁରୁତ୍ୱପୂର୍ଣ୍ଣ ହେବ।
ପୂର୍ବାନୁମାନ ଅନୁଯାୟୀ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ଏବଂ ଅକ୍ଟୋବର ୨୮ ତାରିଖ ସକାଳ କିମ୍ବା ଦିନବେଳା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହା ପରେ ଏହାର ଗତିପଥ ବଦଳି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ଦେଇ ଉତ୍ତର ଦିଗକୁ ଗତି କରିପାରେ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହୋଇପାରେ। ପ୍ରବଳ ବର୍ଷା ଯୋଗୁଁ ଧାନ ସମେତ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ଚାଷୀଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ଅମଳ ଉପଯୋଗୀ ଫସଲ ଓ ଖୋଲା ପଡ଼ିଥିବା କୃଷିଜାତ ଉତ୍ପାଦ ବର୍ଷାରେ ନଷ୍ଟ ହେବାର ଭୟ ରହିଛି। ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଅକ୍ଟୋବର ୨୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜର କିଛି ଅଞ୍ଚଳରେ ସତର୍କତା ଅବଲମ୍ବନ ପାଇଁ ପୂର୍ବାନୁମାନ କରାଯାଇଛି। ଅକ୍ଟୋବର ୨୭ରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ଆଶଙ୍କାରେ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ଅରେଞ୍ଜ ଆଲର୍ଟ ସମ୍ପର୍କରେ ସୂଚନା ଦିଆଯାଇଛି।
ଅକ୍ଟୋବର ୨୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ଆଶଙ୍କାରେ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଏବଂ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୯ ତାରିଖରେ ମଧ୍ୟ କେତେକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବାହିନୀ, ପୁଲିସ ଓ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ଗୁରୁତ୍ୱ ବହନ କରୁଛି। ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ଅନୁସରଣ କରିବା ଆବଶ୍ୟକ। ଚାଷୀମାନେ ପାଣିପାଗ ସୂଚନା ଅନୁଯାୟୀ ଫସଲ ଓ କୃଷିଜାତ ସାମଗ୍ରୀର ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ। ତେବେ ବାତ୍ୟାର ତୀବ୍ରତା ଓ ଗତିପଥ ସମ୍ପର୍କରେ ଚୂଡ଼ାନ୍ତ ନିଷ୍କର୍ଷ ପାଇଁ ଆଇଏମ୍ଡିର ନିୟମିତ ବୁଲେଟିନ୍ ଉପରେ ନଜର ରଖିବା ଜରୁରୀ। ସମ୍ଭାବ୍ୟ ବିପଦକୁ ମୁକାବିଲା କରିବାରେ ଆଗୁଆ ସତର୍କତା, ପ୍ରଶାସନିକ ପ୍ରସ୍ତୁତି ଓ ଜନସାଧାରଣଙ୍କ ସହଯୋଗ ନିର୍ଣ୍ଣାୟକ ହେବ।

Leave A Reply

Your email address will not be published.