ବନ୍ଧୁକ ଛାଡ଼ି କଲମ ଧରିଲେ ୮ ପୂର୍ବତନ ମାଓବାଦୀ, ଦଶମ ପାସ୍ ପରେ ନୂଆ ସ୍ୱପ୍ନ ।

0 2

ରାୟପୁର, ୦୧/୧୦: ଦିନେ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିଲେ। ଏବେ ହାତରେ ବହି ଓ କଲମ। ହିଂସାର ପଥ ଛାଡ଼ି ଶିକ୍ଷା ମାଧ୍ୟମରେ ନୂଆ ଜୀବନ ଗଢ଼ିବାକୁ ଆଗେଇଛନ୍ତି ବସ୍ତର ଅଞ୍ଚଳର ୮ ଜଣ ପୂର୍ବତନ ମାଓବାଦୀ। ଛତିଶଗଡ଼ ଓପନ୍ ସ୍କୁଲ୍ ମାଧ୍ୟମରେ ସେମାନେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପ୍ରଥମ ପ୍ରୟାସରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଆତ୍ମସମର୍ପଣ ପରେ ଏହି ୮ ଜଣ ଶିକ୍ଷା ଓ ଦକ୍ଷତା ବିକାଶ ଦିଗରେ ଆଗକୁ ବଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ସାଂଗଠନିକ ସଦସ୍ୟ ଓ ଲଢ଼ୁଆ ଦଳର ସଦସ୍ୟ ରହିଛନ୍ତି। ବସ୍ତରର ୬ ଜଣଙ୍କ ସହ କାଙ୍କେର ଓ ବିଜାପୁରରୁ ଜଣେ ଲେଖାଏଁ ଅଛନ୍ତି। ବସ୍ତର ଆଇଜି ବଦ୍ରିନାରାୟଣ ମୀନାଙ୍କ କହିବା ଅନୁସାରେ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ପୁନର୍ବାସ ଯୋଜନାରେ ଶିକ୍ଷା, ଧନ୍ଦାମୂଳକ ତାଲିମ ଓ ରୋଜଗାର ପାଇଁ ସହାୟତା ଦିଆଯାଉଛି।
ଏହି ତାଲିକାରେ ଥିବା ୩୫ ବର୍ଷୀୟା ଗୀତା ନାରୋଟେ ଗଡ଼ଚିରୋଲିର ବାସିନ୍ଦା। ପରିବାରିକ ପରିସ୍ଥିତି ଯୋଗୁଁ ଷଷ୍ଠ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଥିବା ଗୀତା ପରେ ପ୍ରାୟ ଦୁଇ ଦଶନ୍ଧି ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ। ସେଠାରେ ଆହତ କ୍ୟାଡରଙ୍କ ଚିକିତ୍ସା କରୁଥିଲେ। ଆତ୍ମସମର୍ପଣ ପରେ ପୁଣି ପାଠପଢ଼ା ଆରମ୍ଭ କରି ସେ ପ୍ରଥମ ଶ୍ରେଣୀରେ ଦଶମ ପାସ୍ କରିଛନ୍ତି। ଆଗକୁ ନର୍ସିଂ ପଢ଼ିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।
ସେହିପରି ପୂର୍ବତନ ମାଓବାଦୀ ଭାସ୍କର ମଧ୍ୟ ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀ ହାସଲ କରିଛନ୍ତି। ଦୀର୍ଘ ସମୟ ମାଓ ସଂଗଠନରେ ରହିଥିବା ଭାସ୍କର ଏବେ ଶିକ୍ଷା ଜାରି ରଖିବା ସହ ଯୁବପିଢ଼ିଙ୍କୁ ପାଠପଢ଼ା ପ୍ରତି ଉତ୍ସାହିତ କରିବାକୁ ଚାହୁଁଛନ୍ତି। କାଙ୍କେରର ସାନୁ ମଧ୍ୟ ଦଶମ ପାସ୍ କରିବା ପରେ ଆଗକୁ ପଢ଼ିବା ଓ ନିଜ ସମ୍ପ୍ରଦାୟ ପାଇଁ କାମ କରିବାର ଲକ୍ଷ୍ୟ ରଖିଛନ୍ତି।
ଏହି ପୁନର୍ବାସ ପ୍ରକ୍ରିୟାର ଅନ୍ୟ ଏକ ଉଦାହରଣ ହେଉଛନ୍ତି ଗଡ଼ଚିରୋଲିର ୨୦ ବର୍ଷୀୟା ଅରବିନ୍ଦା ବାର୍ସାଗାଡେ। ସେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ଶେଷ କରି ଏବେ ଟ୍ରେନି ଇଞ୍ଜିନିୟର ଭାବେ କାମ ଆରମ୍ଭ କରିଛନ୍ତି। ଏହି ଘଟଣାଗୁଡ଼ିକ ଆତ୍ମସମର୍ପଣ ପରେ ଶିକ୍ଷା, ଦକ୍ଷତା ବିକାଶ ଓ ରୋଜଗାର ମାଧ୍ୟମରେ ମୁଖ୍ୟସ୍ରୋତକୁ ଫେରିବାର ସମ୍ଭାବନାକୁ ଦର୍ଶାଉଛି।

Leave A Reply

Your email address will not be published.