ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି : ମୋଟ ୧୮୮ଟି ଅଭିଯୋଗ ପତ୍ର ଗ୍ରହଣ ।

0 2

ଭଞ୍ଜନଗର, ୦୭/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷ ଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ.ଭି , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏବଂ ଏସ.ଡି.ପି.ଓ. ଡ. ଦୀପକ କୁମାର ମିଶ୍ର ଙ୍କ ଉପସ୍ଥିତିରେ ମୋଟ ୧୮୮ଟି ଅଭିଯୋଗର ଶୁଣାଣି କରିଥିଲେ।

ଆଗତ ଅଭିଯୋଗ ମଧ୍ୟରୁ ୧୮୬ଟି ବ୍ୟକ୍ତିଗତ, ୨ଟି ସାମୂହିକ ଥିବାବେଳେ ୧୦ଟି ଅଭିଯୋଗର ତୁରନ୍ତ ସମାଧାନ ଶିବିରରେ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ଏବଂ ଫଳପ୍ରଦ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ଜଣ ହିତାଧିକାରୀଙ୍କୁ ମୋଟ ୬୭ ହଜାର ୫ ସହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଶିବିରରେ ଉପସ୍ଥିତ ଜନସାଧାରଣ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଭତ୍ତା, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଜୀବିକା ମିଶନ, ରାଜସ୍ୱ ଏବଂ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।ଏହି ଶିବିରରେ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ସହାୟକ ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର , ତହସିଲଦାର ଅଭିପ୍ସା ପଟ୍ଟନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଜନ ଅଭିଯୋଗ ଶୁଣାଣି ଶିବିରର ସୁପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ- ଜେ କେ ପଟ୍ଟନାୟକ

Leave A Reply

Your email address will not be published.