ବରଯାତ୍ରୀ ଫେରିବା ବେଳେ ପୋଖରୀକୁ ଖସିଲା କାର, ୫ ମୃତ ।

0 0

ଢେଙ୍କାନାଳ, ୨୩/୦୭: ଢେଙ୍କାନାଳ ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ ବରଯାତ୍ରୀ ହୋଇ ଆସିଥିବା ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମୋଟଗାଁ ଥାନା ଅନ୍ତର୍ଗତ ବାଙ୍ଗୁରସିଂ ଗ୍ରାମରୁ ସଦର ଥାନା ଅଧୀନ ଇନ୍ଦୁପୁର ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ବରଯାତ୍ରୀମାନେ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା।
ସୂଚନା ଅନୁଯାୟୀ, ବୁଧବାର ରାତି ୨ ଟା ପରେ ଭୋଜି ଖାଇ ଫେରିବା ସମୟରେ ଛାଟିଆ ପୋଖରୀ ନିକଟରେ ଚାଳକ କାରର ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତାକଡ଼ର ପୋଖରୀ ଭିତରକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିଲେ ମଧ୍ୟ କାରରେ ଥିବା ୫ ଜଣଙ୍କୁ ବଞ୍ଚାଇ ପାରିନଥିଲେ। ଘଟଣାସ୍ଥଳରେ କିମ୍ବା ଚିକିତ୍ସାଳୟକୁ ନେବା ପରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଶ୍ରୀରାମ ସାହୁ (୨୮), ଚନ୍ଦ୍ରକାନ୍ତ ସ୍ୱାଇଁ (୨୬), ଅଭିନାଶ ସାହୁ (୨୮), ରାକେଶ ସାହୁ (୨୮) ଓ ଅଭିଜିତ ସାହୁ (୨୫)। ସମସ୍ତଙ୍କ ଘର ମୋଟଗାଁ ଥାନା ଅନ୍ତର୍ଗତ ବାଙ୍ଗୁରସିଂ ଗ୍ରାମରେ ବୋଲି ଜଣାପଡ଼ିଛି।
ଘଟଣା ପରେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ପୋଖରୀରୁ ଉଦ୍ଧାର କରିବା ସହ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.