ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ଭାଲ୍ଲୁର ମୃତ୍ୟୁ ।

0 0

ମାଲକାନଗିରି,୧୮/୦୬(ପିପିଟି):ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସହିତ ଜଙ୍ଗଲରେ ବାରମ୍ବାର ନିଆଁ ଲାଗିବା ଫଳରେ ବଣ୍ୟ ଜନ୍ତୁମାନେ ନିଜ ବାସସ୍ଥଳୀ ପରିତ୍ୟାଗ କରି ଏଣେତେଣେ ଭ୍ରମଣ କରୁଥିବା ଜଣାପଡିଛି। ଜଙ୍ଗଲରେ ଖାଦ୍ୟ ଅଭାବ ଅନ୍ୟ ଏକ କାରଣ ଯୋଗୁଁ ବନ୍ୟଜନ୍ତୁ ମାନେ ଖାଦ୍ୟ ଅନ୍ବେଷଣରେ ଗ୍ରାମାଭିମୁଖୀ ହେଉଥିବା ନଜିର ଆସିଛି। ଫଳରେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ବୋଳେ ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁଁ କେବେ ମଣିଷ ଓ କେବେ ହିଂସ୍ର ଜନ୍ତୁ ମାନେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଥିଲି ବନାଞ୍ଚଳରେ । ଗୋଟିଏ ଭାଲ୍ଲୁ ନିଜର ବାସସ୍ଥଳୀ ପରିତ୍ୟାଗ କରି
ଗ୍ରାମାଭିମୁଖୀ ହେବାପରେ ଲୋକମାନେ ଭାଲ୍ଲୁକୁ ଘୋଉଡାଇବାକୁ ଯାଇ ପଥର ଫୋପାଡି ଥିଲେ। ପରବର୍ତ୍ତୀ ସମୟରେ ବନ କର୍ମଚାରୀମାନେ ଭାଲୁଟିକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ ମଧ୍ୟ ଭାଲ୍ଲୁଟି ମୃତ୍ୟୁ ବରଣ କରିଥିଲା ।
ମାଥିଲି ବ୍ଲକର ଡଇଗୁଡା ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ ଆଜି ପୂର୍ବାହ୍ନରେ ଜଙ୍ଗଲରୁ ଏକ ବିରାଟ ଭାଲ୍ଲୁ ଆସି ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା। ଭାଲ୍ଲୁକୁ ଦେଖି ଲୋକମାନେ ଭୟଭିତ ହୋଇ ଅଟକି ରହୁଥିଲା ବେଳେ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଖାଦ୍ୟ ଅଭାବ ଯୋଗୁଁ ଭାଲ୍ଲୁଟି ଏକ ପ୍ରକାର ଅସୁସ୍ଥ ମନେ ହେଉଥିଲା। ଭାଲ୍ଲୁଟି କୌଣସି ଲୋକମାନଙ୍କୁ ଆକ୍ରମଣ କରୁନଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ନିକଟତର ହୋଇ କିଛି ଖାଦ୍ୟ ମାଗିବାକୁ ପ୍ରୟାସ କରୁଥିଲା ।ଏ ସମ୍ପର୍କରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସର ପାଟ୍ରୋଲିଂ ଗାଡ଼ି ଆସି ସେଠାରେ ଅଟକିଥିଲା। ଗାଡ଼ିର ହର୍ଣ୍ଣକୁ ଭୟ ନକରି ଭାଲ୍ଲୁଟି ଗାଡ଼ି ନିକଟରେ ବହୁ ସମୟ ଠିଆ ହୋଇ ରହିଥିଲା। ଲୋକମାନେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କୁ ଜଣାଇଲା ପରେ ବନ ବିଭାଗର କର୍ମଚାରୀ ପହଂଚି ଭାଲ୍ଲୁଟିକୁ ଯନ୍ତା ସାହାଯ୍ୟରେ ଧରି ଗୋବିନ୍ଦପାଲ୍ଲୀ ଠାରେ ଥିବା ରେଞ୍ଜ କାର୍ଯ୍ୟାଳୟ କୁ ନେଇଥିଲେ । କିନ୍ତୁ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଭାଲ୍ଲୁଟିର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । କାହିଁକି ଭାଲ୍ଲୁଟିର ଅଚାନକ ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ହୋଇଥିଲା ବେଳେ ଏହା ଗ୍ରୀଷ୍ମ ପ୍ରବାହ ଏବଂ ଖାଦ୍ୟାଭାବ ଯୋଗୁଁ ହୋଇଥିବା ଆଶଙ୍କା କରାଯାଉଛି। ଅନ୍ୟ ପକ୍ଷରେ ଭାଲ୍ଲୁର ଦେହରେ କିଛି କ୍ଷତ ଚିହ୍ନ ଥିବାରୁ ଲୋକମାନେ ପଥର ଫୋପାଡି କ୍ଷତାକ୍ତ କରିଥିବା କୁହାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ
ଭାଲ୍ଲୁଟିର ପ୍ରକୃତ କାରଣ ସ୍ପଷ୍ଟ ହେବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.