ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବୈଠକ ।

0 0

ଭୁବନେଶ୍ୱର,୧୭/୦୬(ପିପିଟି):ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ଏକ ବୈଠକ ଆଜି ମହାସଂଘର ରାଜ୍ୟ ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ମହାସଙ୍ଘର ସମ୍ପାଦକ ରବି ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଓଡିଶା ଜଳ ବିଦ୍ୟୁତ ନିଗମ, ଓଡିଶା ପାୱାର ଟ୍ରାନ୍ସମିଶନ ଲିମିଟେଡ଼ ଓ ଟାଟା ପାୱାର ପକ୍ଷରୁ ଶୁଳ୍କ ବଢେଇବା ପାଇଁ ଓ.ଇ.ଆର.ସିଙ୍କ ନିକଟରେ ଯେଉଁ ଆବେଦନ କରାଯାଇଛି, ତାହାକୁ ବୈଠକରେ ନିନ୍ଦା କରାଯିବା ସହ ଆଗାମୀ ଦିନରେ ମହାସଂଘର ଏକ ପ୍ରତିନିଧି ଦଳ ଓ.ଇ.ଆର.ସି ଅଧ୍ୟକ୍ଷ ଓ ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଦାବିପତ୍ର ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଗଲା । ଏହାବ୍ୟତୀତ ବିଜୁଳି କମ୍ପାନୀମାନଙ୍କର ଆୟବ୍ୟୟର ସି.ଏ.ଜି ଅଡିଟ କରିବା, ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ଉପଭୋକ୍ତାଙ୍କ ଠାରୁ ବିଜୁଳି କମ୍ପାନୀମାନେ ବିଗତ ଦିନରେ ଆଦାୟ କରିଥବା ଅଧିକ ଶୁଳ୍କ ଫେରସ୍ତ କରିବା, ଏଟିସ କ୍ଷତି କମିଥିବା ଯୋଗୁଁ ୟୁନିଟ ପିଛା ଶୁଳ୍କ ଏକ ଟଙ୍କା କୋଡିଏ ପଇସା କମେଇବା ଓ ପାୱାର କଟ ବନ୍ଦ କରିବା ଆଦି ଦାବୀରେ ଆଗାମୀ ଦିନରେ ବିଜୁଳି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଟାଟା ପାୱାର ସାଉଥ, ଟାଟା ପାୱାର ନର୍ଥ, ଟାଟା ପାୱାର ୱେଷ୍ଟ ଓ ଟାଟା ପାୱାର ସେଣ୍ଟ୍ରାଲ ସ୍ତରରେ ସଂଗଠନକୁ ନୂଆ ରୂପରେଖ ଦେବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଏହି ବୈଠକରେ ମହାସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ସିପିଆଇ ନେତା ଆଶିଷ କାନୁନଗୋ, ସିପିଆଇଏମ ନେତା ପ୍ରଦୀପ୍ତ ନାୟକ, ସିପିଆଇ(ଏମଏଲ ) ଲିବରେସନ ନେତା ମହେନ୍ଦ୍ର ପରିଡା, ଫରୱାର୍ଡ଼ ବ୍ଲକ ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ସମତା କ୍ରାନ୍ତି ଦଳର ନେତା ପ୍ରଭାସ ସାମନ୍ତରାୟ, ଆରଜେଡ଼ି ନେତା ହେମନ୍ତ କୁମାର, ସିପିଆଇ(ଏମଏଲ ) ରେଡଷ୍ଟlର ନେତ୍ରୀ ପ୍ରମିଳା ବେହେରା, ହେନା ବାରିକ, ସୌମ୍ୟ ରଞ୍ଜନ ମହାପାତ୍ର, ସାମାଜିକ କର୍ମୀ ସୁବାସ ପଣ୍ଡା, ମାନସ ଜେନା ଓ ସାହିତ୍ୟିକ କୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ଉପଭୋକ୍ତା ଙ୍କ ସ୍ୱାର୍ଥର ସୁରକ୍ଷା ସହ ଟାଟା କମ୍ପାନୀର ମନମାନୀ ବିରୁଦ୍ଧରେ ବିଦ୍ୟୁତ ଉପଭୋକ୍ତା ମହାସଂଘ ନେତୃତ୍ୱରେ ଜନ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.