ଯାଜପୁରରେ ଏସଆଇଆର୍ ସମ୍ବନ୍ଧୀୟ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।

0 191

ଯାଜପୁର, ୨୯/୦୫(ପିପିଟି ):ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏ ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ କର ଏସଆଇଆର୍ ସମୟ ସାରଣୀ, ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ, ବିଏଲଓ ଏବଂ ବିଏଲଓ ସୁପରଭାଇଜରଙ୍କ ଦାୟିତ୍ଵ, ଫର୍ମ ପୂରଣ ପ୍ରକ୍ରିୟା, ଆପତ୍ତି ଦାଖଲ ଏବଂ ସମାଧାନ, ବିଏଲଓଙ୍କ ପ୍ରଶିକ୍ଷଣ, ହେଲ୍ପଲାଇନ୍ ଡେସ୍କ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ବୈଠକରେ ଜିଲ୍ଲାରେ ମୋଟ ମତଦାତାଙ୍କ ସଂଖ୍ୟା, ନିୟୋଜିତ ବିଏଲଓଙ୍କ ସଂଖ୍ୟା, ନିର୍ବାଚନ ମଣ୍ଡଳୀ ଅନୁଯାୟୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଅଯୋଗ୍ୟ ଏବଂ ଅନଧିକୃତ ବ୍ୟକ୍ତିଙ୍କୁ ହଟାଇବା ସହ ଯୋଗ୍ୟ ମତଦାତାଙ୍କ ନାମ ସମ୍ମିଳିତ କରି ଭୋଟର ତାଲିକାକୁ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଦିଗରେ ଏସଆଇଆର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବା ଆମର ଏକ ପ୍ରମୁଖ ଦାୟିତ୍ୱ ଏବଂ ଜନସାଧାରଣଙ୍କୁ ଏସଆଇଆର ସମ୍ପର୍କରେ ସଚେତନ କରିବା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଥିଲେ। ସୂଚନାଯୋଗ୍ୟ, ଜିଲ୍ଲାରେ ଏସଆଇଆର କାର୍ଯ୍ୟରେ ୧୬୩୯ ଜଣ ବିଏଲଓ ଏବଂ ୧୬୪ ଜଣ ବିଏଲଓ ସୁପରଭାଇଜର ନିୟୋଜିତ ଅଛନ୍ତି। ଚଳିତ ବର୍ଷ ମଇ ୩୦ ରୁ ଜୁନ ୨୮ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ପରିଦର୍ଶନ କରିବେ। ପ୍ରତ୍ୟେକ ମତଦାତାଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏହି ଫର୍ମଗୁଡିକ ସତର୍କତାର ସହିତ ପୂରଣ କରିବାକୁ ହେବ । ଏଥିରେ ମତଦାତାଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡିବ । ନିର୍ବାଚନ ଫର୍ମ ଦୁଇଟି ପୂରଣ କରିସାରିଲା ପରେ, ଗୋଟିଏ ଫର୍ମକୁ ବିଏଲଓ ସଂଗ୍ରହ କରି ଆର ଫର୍ମଟିରେ ପ୍ରାପ୍ତିସ୍ଵୀକାର ପ୍ରଦାନ କରିବେ । ନିର୍ବାଚକମାନଙ୍କଠାରୁ ପ୍ରାପ୍ତ ପରିଗଣନା ଫର୍ମ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଜନସାଧାରଣ ଏସଆଇଆର ସମ୍ବନ୍ଧୀୟ କୌଣସି ଗୁଜବ କିମ୍ବା ମିଥ୍ୟା ଖବରରେ ବିଶ୍ୱାସ ନ କରିବା ସହ ଅଧିକ ସୂଚନା ପାଇଁ ନିକଟସ୍ଥ ନିର୍ବାଚନ ପଞ୍ଜୀକରଣ ଅଧିକାରୀ କିମ୍ବା ବିଡ଼ିଓ, ତହସିଲଦାରଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଏହାସହ ଟୋଲ୍ ଫ୍ରୀ ନମ୍ବର ୧୯୫୦ ରେ କଲ୍ କରିପାରିବେ।

Leave A Reply

Your email address will not be published.