୮ ବର୍ଷ ପରେ ଫେରିବ କ୍ୟାମ୍ପସ ନିର୍ବାଚନ, ଅକ୍ଟୋବର ୧୫ରେ ଭୋଟ ।

0 9

ଭୁବନେଶ୍ୱର,୦୫/୧୦(ପିପିଟି ):ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହେବ। ଆସନ୍ତା ଅକ୍ଟୋବର ୧୫ରେ ରାଜ୍ୟବ୍ୟାପୀ ଛାତ୍ର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୭ରେ ସମ୍ପୃକ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ବାଚନ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଅକ୍ଟୋବର ୧୫ରେ ଭୋଟଗ୍ରହଣ ହେବା ପରେ ଅକ୍ଟୋବର ୧୬ରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥଗ୍ରହଣ ଅନୁଷ୍ଠିତ ହେବ।
ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ପରବର୍ତ୍ତୀ ସମୟରେ କ୍ୟାମ୍ପସରେ ହିଂସା, ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍-୧୯ ମହାମାରୀ ଆଦି ବିଭିନ୍ନ କାରଣରୁ ୨୦୧୮ରୁ ନିର୍ବାଚନ ବନ୍ଦ ରହିଥିଲା।
ଛାତ୍ର ସଂସଦ ନିର୍ବାଚନ ପୁନଃ ଆରମ୍ଭ କରିବାକୁ ବିଭିନ୍ନ ଛାତ୍ର ସଂଗଠନ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ସରକାରଙ୍କ ନିର୍ବାଚନ ଘୋଷଣା ପରେ ବିଭିନ୍ନ କ୍ୟାମ୍ପସରେ ଛାତ୍ରନେତା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ନିର୍ବାଚନକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।

Leave A Reply

Your email address will not be published.