ପଞ୍ଚାୟତ ଓ ପୌର ନିର୍ବାଚନରେ ଶକ୍ତି ପ୍ରଦର୍ଶନ ଲକ୍ଷ୍ୟ, ୯୦% ଯୁବଙ୍କୁ ଟିକେଟ ଦେବ ଓଜେସି: ମୋକିମ୍ ।

0 4

ଭୁବନେଶ୍ୱର,୦୫/୧୦(ପିପିଟି ):ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ତା’ର ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ପ୍ରାର୍ଥୀ ଦେବ ବୋଲି ଦଳର ପ୍ରତିଷ୍ଠାତା ତଥା ସଭାପତି ମହମ୍ମଦ ମୋକିମ୍ କହିଛନ୍ତି।

ମୋକିମ୍ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ‘ମାପକାଠି’। ତେଣୁ ନିର୍ବାଚନ ପାଇଁ ଦଳ ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମହାନଗର ନିଗମ, ପୌରାଞ୍ଚଳ ଏବଂ ଜିଲ୍ଲା ସ୍ତରରେ ସାଂଗଠନିକ ପ୍ରସ୍ତୁତି ଚାଲିଥିବା ସେ ସୂଚନା ଦେଇଛନ୍ତି।

ପୌର ନିର୍ବାଚନରେ ମଧ୍ୟ ଦଳ ସମ୍ଭବ ଥିବା ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ମୋକିମ୍ କହିଛନ୍ତି। ତାଙ୍କ ମତରେ, ତୃଣମୂଳ ସ୍ତରରେ ରାଜନୈତିକ ଭିତ୍ତି ମଜବୁତ ନକରି ରାଜ୍ୟ ରାଜନୀତିରେ ପ୍ରଭାବ ସୃଷ୍ଟି କରିବା ସମ୍ଭବ ନୁହେଁ। ଏହି କାରଣରୁ ଦଳ ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ୱର ସହ ନେଉଛି।

ଦଳ ଯୁବପିଢ଼ିକୁ ଅଧିକ ସୁଯୋଗ ଦେବ ବୋଲି ମଧ୍ୟ ମୋକିମ୍ କହିଛନ୍ତି। ପ୍ରାୟ ୯୦ ପ୍ରତିଶତ ଟିକେଟ ଯୁବ ପ୍ରାର୍ଥୀଙ୍କୁ ଦିଆଯିବ ବୋଲି ସେ ଦାବି କରିଛନ୍ତି। ଯୁବମାନଙ୍କୁ ରାଜନୀତିରେ ଅଧିକ ସୁଯୋଗ ଦେଇ ଦଳ ନୂଆ ନେତୃତ୍ୱ ଗଢ଼ିବାକୁ ଚାହୁଁଛି।

ପଞ୍ଚାୟତ ଓ ପୌର ନିର୍ବାଚନକୁ ଦଳର ଆଗାମୀ ରାଜନୈତିକ ଯାତ୍ରାର ଭିତ୍ତି ଭାବେ ବିବେଚନା କରାଯାଉଛି। ଏହି ଦୁଇ ନିର୍ବାଚନରେ ସଂଗଠନର ଉପସ୍ଥିତି ଜାହିର କରିବା ପରେ ୨୦୨୯ର ସାଧାରଣ ନିର୍ବାଚନରେ ଦଳ ନିଜର ରାଜନୈତିକ ପ୍ରଭାବ ଛାଡ଼ିବ ବୋଲି ମୋକିମ୍ କହିଛନ୍ତି।

Leave A Reply

Your email address will not be published.