୧୦ମ ବୋର୍ଡ ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ।

0 2

ମାଲକାନଗିରି,୦୬/୦୫(ପିଟିଟି):ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ପକ୍ଷରୁ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଜିଲାପାଳ ଦଶମ ବାର୍ଷିକ ବୋର୍ଡ ପରୀକ୍ଷାରେ ୩୨ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ପୋଲିସ ଅଧୀକ୍ଷକ, ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଗୋଡ଼ରେ ଲେଖି ସଫଳତାର ସହ ଦଶମ ପରୀକ୍ଷା ପାସ୍ କରି ସାରା ଓଡ଼ିଶାରେ ଉଦାହରଣ ସୃଷ୍ଟି କରିଥିବା ଦିବ୍ୟାଙ୍ଗ ଲକ୍ଷ୍ମୀ ଖେମୁଣ୍ଡୁଙ୍କ ଆଗାମୀ ପାଠପଢ଼ା ପାଇଁ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ତରଫରୁ ୨୦୦୦୦ ସହଯୋଗ ରାଶି ପ୍ରଦାନ କରିଥିଲେ ।

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିମେଳା, ଜଗନ୍ନାଥପଲ୍ଲି ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଓ ଦୀପ୍ତି କନ୍ଭେଣ୍ଟ ସ୍କୁଲର ୩୨ ଜଣ ପିଲାଙ୍କୁ ସମ୍ମାନିତ କଲାବେଳେ ଜିଲ୍ଲାପାଳ ନିଜ ଛାତ୍ରଜୀବନର ପ୍ରେରଣାତ୍ମକ ସମୟ ମନ ପକେଇବା ସହ କହିଛନ୍ତି, “ମାଲକାନଗିରି ପିଲା ଆଜି ପ୍ରମାଣ କରିଛନ୍ତି ଯେ ଇଚ୍ଛାଶକ୍ତି ଥିଲେ ସବୁ ବାଧା ଦୂର ହୋଇଯାଏ। ଏହି ୩୨ ଜଣ କେବଳ ନିଜ ପରିବାର ନୁହେଁ, ପୁରା ଜିଲ୍ଲା ପାଇଁ ଗର୍ବ। ଆଗକୁ ଉଚ୍ଚ ଶିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ ଯୋଗାଇଦେବ।”

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୨୨ ଜଣ ୯୦ ପ୍ରତିଶତ ଉର୍ଦ୍ଧ୍ୱ ରଖିଥିବା ବେଳେ ୬୬ ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ତାହା ସହ ଜିଲ୍ଲାର ପାସ୍ ହାର ରାଜ୍ୟର ପାସ୍ ହାରରୁ ଉର୍ଦ୍ଧ୍ଵ ରହି ମାଲକାନଗିରି ଶିକ୍ଷା ବିଭାଗକୁ ଗୌରବ ଆଣିଅଛି। ଏହି ଉତ୍ସବକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ପ୍ରସାଦ ବେହେରା ଆୟୋଜନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଛାତ୍ରଛାତ୍ରୀମାନେ ନିଜ ସଫଳତାର ଶ୍ରେୟ ନିଜ ଶିକ୍ଷକ, ଅଭିଭାବକ ଓ ଜିଲ୍ଲା ପ୍ରଶାସନଙ୍କୁ ଦେଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.