ଲୁଣିପାଣି ମତ୍ସ୍ୟଚାଷ ଉପରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ।

0 111

ବ୍ରହ୍ମପୁର,୩୦/୦୯(ପିପିଟି): ଲୁଣିପାଣିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷକୁ ଅଧିକ ଲାଭଜନକ କରିବା ଏବଂ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଆଜି ବ୍ରହ୍ମପୁରସ୍ଥିତ ଗଞ୍ଜାମ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଲୁଣିପାଣି ମତ୍ସ୍ୟଚାଷ ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ମନୋରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁଣିପାଣି ମତ୍ସ୍ୟଚାଷର ବିକାଶ ଓ ଏହାର ବ୍ୟାପକ ସମ୍ଭାବନା ସମ୍ପର୍କରେ ମତ୍ସ୍ୟଚାଷୀମାନଙ୍କୁ ଅବଗତ କରାଇଥିଲେ। ଗଞ୍ଜାମ-୨ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଜ୍ଞାନୀ ଡ. ସିଦ୍ଧାର୍ଥ ଶଙ୍କର ଦାସ ଏବଂ ଗଞ୍ଜାମ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ବି.ବି.ଜେ. ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ୍ସ୍ୟଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।

ଏହି ଅବସରରେ ଲୁଣିପାଣିରେ ନୂତନ ଜ୍ଞାନକୌଶଳର ପ୍ରୟୋଗ, ଜଳର ଗୁଣବତ୍ତା ନିୟନ୍ତ୍ରଣ, ଚିଙ୍ଗୁଡ଼ି ଓ ମାଛର ବିଭିନ୍ନ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ, ଉତ୍ପାଦନ ବୃଦ୍ଧି ତଥା ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା ।

ଏଥିସହ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସହାୟତା ଓ ରିହାତି ସୁବିଧା ସମ୍ପର୍କରେ ମଧ୍ୟ ଉପସ୍ଥିତ ମତ୍ସ୍ୟଚାଷୀ ଓ ଉଦ୍ୟୋଗୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସହକାରୀ ମତ୍ସ୍ୟ ଅଧିକାରୀ ଅଙ୍କିତା କରଙ୍କ ସମେତ ରଙ୍ଗେଇଲୁଣ୍ଡା,ଚିକିଟି, ଗଞ୍ଜାମ, ଖଲ୍ଲିକୋଟ ଓ ଛତ୍ରପୁର ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ ଲୁଣିପାଣି ଚିଙ୍ଗୁଡ଼ି ଚାଷୀ ଓ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.