ବୋଲଗଡ଼,୧୦/୧୧ (ପିପିଟି):ପ୍ରଶାସନର ସମ୍ବେଦନଶୀଳତା କେଉଁଠି ? ମଣିଷ ମରିବା ପରେ ମିଳିବ କି ସରକାରୀ ସହାୟତା ? ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର ଗ୍ରାମରୁ ଆସିଥିବା ଏହି ହୃଦୟ ବିଦାରକ ଘଟଣା ସାରା ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ସୂଚନା ଅନୁଯାୟୀ, ଇଚ୍ଛାପୁର ଗ୍ରାମର ସ୍ୱର୍ଗତ ମହମ୍ମଦ ଫାରୁକ୍ ଖାଁଙ୍କ କନିଷ୍ଠ ପୁତ୍ର ମହମ୍ମଦ ସଫିକ୍ ଖାଁ (୩୫) ଦୀର୍ଘ ଦିନ ହେଲା ଦୁଇଟି କିଡନୀ ରୋଗରେ ପୀଡିତ ଥିଲେ। ଚିକିତ୍ସା ପାଇଁ ଅର୍ଥ ନଥିଲା। ଘରର ଏକମାତ୍ର ରୋଜଗାରିଆ ଲୋକଟି ଶଯ୍ୟାଶାୟୀ ହୋଇପଡିଥିଲା। ଜିଲ୍ଲାପାଳଙ୍କ ପାଖରେ ଗୁହାରି, ହେଲେ ମିଳିଲାନି ସହାୟତା।
ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ହାମରୁନ୍ ବେଗମ୍ ନିଜ କୁନି ଝିଅକୁ ଧରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଦୌଡିଥିଲେ। ହାତ ଯୋଡି ସରକାରୀ ସହାୟତା ମାଗିଥିଲେ। ହେଲେ ଫାଇଲ୍ ଗୋଟେ ଟେବୁଲରୁ ଆଉ ଗୋଟେ ଟେବୁଲକୁ ଘୁରି ବୁଲିଲା, ସହାୟତା ଆସିଲା ନାହିଁ। ଶେଷରେ ବିନା ଚିକିତ୍ସାରେ ଆଖି ବୁଜିଦେଲେ ସଫିକ୍।
ଆଜି ସେହି ପରିବାର ରାସ୍ତା କଡ଼କୁ ଆସିଯାଇଛି। ଯେଉଁ ବୟସରେ ବାପାଙ୍କ ଆଙ୍ଗୁଳି ଧରି ସ୍କୁଲ ଯିବା କଥା, ସେହି ବୟସରେ କୁନି ଝିଅଟି ବାପାଛେଉଁଣ୍ଡି ହୋଇ ମାଆର ଲୁହକୁ ଚାହିଁ ରହିଛି। ଦୁଇ ଓଳି ଦୁଇ ମୁଠା ଭାତ ପାଇଁ ମଧ୍ୟ ଏବେ ସଂଘର୍ଷ। ସ୍ୱାମୀକୁ ହରାଇ ସବୁ ହରାଇ ବସିଥିବା ହାମରୁନ୍ ଏବେ ବୋଲଗଡ଼ ବିଡିଓଙ୍କୁ ଭେଟି ଲିଖିତ ନିବେଦନ କରିଛନ୍ତି। ତାଙ୍କର ଦାବି ବହୁତ ବଡ ନୁହେଁ
ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ମାସିକ ୩୫ କିଲୋ ଚାଉଳ ଯୋଗାଇ ଦିଆଯାଉ।,
ତୁରନ୍ତ ବିଧବା ଭତ୍ତା ପ୍ରଦାନ କରାଯାଉ।,ଜାତୀୟ ପରିବାର ମଙ୍ଗଳ ଯୋଜନା (NFBS) ରେ ୨୦ ହଜାର ଟଙ୍କାର ଏକକାଳୀନ ସହାୟତା ଦିଆଯାଉ। କୁନି ଝିଅର ପାଠପଢ଼ା ପାଇଁ ସରକାରୀ ସହାୟତା ଓ ଛାତ୍ରବୃତ୍ତିର ବ୍ୟବସ୍ଥା କରାଯାଉ।
ଏହା କୌଣସି ଭିକ୍ଷା ନୁହେଁ, ଏହା ଜଣେ ଅସହାୟ ନାଗରିକର ଅଧିକାର। ଗ୍ରାମବାସୀ ପ୍ରଶ୍ନ କରୁଛନ୍ତି ଯଦି ଜଣେ ରୋଗୀ ଜିଲ୍ଲାପାଳଙ୍କ ଦରବାରରେ ଗୁହାରି କରି ମଧ୍ୟ ସହାୟତା ନ ପାଇ ମରିଯାଉଛି, ତେବେ ଏ ଯୋଜନା, ଏ ଶିବିର କାହା ପାଇଁ ? ଜୀବିତ ଥିବା ବେଳେ ଯାହାକୁ ସହାୟତା ମିଳିଲାନି, ଅତି କମରେ ତାଙ୍କ ପରିବାରକୁ ଏବେ ତ ନ୍ୟାୟ ମିଳୁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବୋଲଗଡ଼ ବ୍ଲକ ପ୍ରଶାସନ ଏହି ଅସହାୟ ମାଆ ଝିଅ ପ୍ରତି ମାନବିକତା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବ ବୋଲି ସାଧାରଣରେ ଦାବି ହେଉଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।