ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓ ଛାୟା ସଂସଦ ଉଦ୍‌ଘାଟିତ ।

0 0

ଛତ୍ରପୁର,୧୦/୧୧(ପିପିଟି): ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ଓ ପରିସ୍ଫୁଟନ ପାଇଁ ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଏବଂ ଜିଲ୍ଲାସ୍ତରୀୟ ଛାୟା ସଂସଦ ଛତ୍ରପୁରସ୍ଥିତ ପି.ଏମ୍. ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି ।

ଏହି ସମାରୋହରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ.ଅବଦୁଲ କଲାମଙ୍କ ପ୍ରେରଣାଦାୟୀ ବାର୍ତ୍ତାକୁ ଉଦ୍ଧୃତ କରି କହିଥିଲେ ଯେ, “ସ୍ୱପ୍ନ ତାହା ନୁହେଁ, ଯାହା ଆପଣ ଶୋଇବା ସମୟରେ ଦେଖନ୍ତି; ସ୍ୱପ୍ନ ହେଉଛି ତାହା, ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ ।” ତେଣୁ ଜୀବନରେ ବଡ଼ ସ୍ୱପ୍ନ ଦେଖିବା ସହ ନିଜ ପାଇଁ ଲକ୍ଷ୍ୟ ସ୍ଥିର କରି ନିଷ୍ଠାର ସହ ନିରନ୍ତର ପରିଶ୍ରମ କରିବା ଆବଶ୍ୟକ। ଏହାହିଁ ସମସ୍ତ ସଫଳତାର ଚାବିକାଠି ।

ଏଥିସହ ବନ୍ୟା ପରବର୍ତ୍ତୀ ସମୟରେ ବିଦ୍ୟାଳୟଗୁଡ଼ିକୁ ସଫାସୁତୁରା କରିଥିବା ଜିଲ୍ଲାର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ସାମୂହିକ ସହଯୋଗକୁ ସେ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର କହିଥିଲେ ଯେ, ଶିକ୍ଷା ସହିତ ସାଂସ୍କୃତିକ, ସାହିତ୍ୟିକ ଓ ସୃଜନାତ୍ମକ କାର୍ଯ୍ୟରେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ଆବଶ୍ୟକ । ଏହାଦ୍ୱାରା ସେମାନଙ୍କ ସାମଗ୍ରିକ ବିକାଶ ହୋଇପାରିବ ।

ମହୋତ୍ସବ ଅବସରରେ ବିତର୍କ, ଚିତ୍ରାଙ୍କନ,ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର,ଶ୍ରୁତଲିଖନ,ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ମୋଟ ୮୧୪ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସେହିପରି ୭୧ଟି ପି.ଏମ୍. ଶ୍ରୀ ବିଦ୍ୟାଳୟରୁ ୨୧୪ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ଛାୟା ସଂସଦରେ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ଗଞ୍ଜାମ ଜିଲ୍ଲାର ପ୍ରତିନିଧିତ୍ୱ କରିବେ। କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଭାତୀ କୁମାରୀ ମହାପାତ୍ର ଓ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜକ ଡ. ସରୋଜ ମୋହନ ପାଳ ଓ ଜିଲ୍ଲା ଯୋଜନା ସଂଯୋଜିକା ଡ. ସାବିତ୍ରୀ ବାଳା ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନାଶ୍ରୀ ବାଡ଼ତ୍ୟା, ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ସିଆରସିସି ଓ ବିଦ୍ୟାଳୟର କର୍ମଚାରୀମାନେ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.