ଭୁବନେଶ୍ୱର, ୨୫/୦୬(ପିପିଟି):ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟବ୍ୟାପୀ ଏହି ବୃହତ୍ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଶେଷ ହେବାକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ, ନିର୍ବାଚନ ପ୍ରଶାସନ ପକ୍ଷରୁ ଶେଷ ପର୍ଯ୍ୟାୟର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୯୯.୯୩ ପ୍ରତିଶତ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ସଫଳତାର ସହ ପହଞ୍ଚି ସାରିଛି। ଏପର୍ଯ୍ୟନ୍ତ ୩ କୋଟି ୩୩ ଲକ୍ଷ ୭ ହଜାର ୫୪୫ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଥିବାବେଳେ, ଅବଶିଷ୍ଟ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବା ପାଇଁ ,କ୍ଷେତ୍ରସ୍ତରରେ ଅଧିକାରୀମାନେ ଦିନରାତି କାମ କରୁଛନ୍ତି।
କେବଳ ଫର୍ମ ବଣ୍ଟନ ନୁହେଁ, ବରଂ ଏକ ସ୍ୱଚ୍ଛ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ତଥ୍ୟର ଡିଜିଟାଇଜେସନ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ୯୩.୮୪ ପ୍ରତିଶତ, ଅର୍ଥାତ ୩ କୋଟି ୧୩ ଲକ୍ଷ ୪୨ ହଜାର ୭୯୪ ଜଣ ଭୋଟରଙ୍କ ତଥ୍ୟ ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇସାରିଛି।
ଏହି ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ଆଜି ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଅବଶିଷ୍ଟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏକ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ହେଉଛି ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନର ମୂଳ ଲକ୍ଷ୍ୟ। କ୍ଷେତ୍ରସ୍ତରରେ ନିୟୋଜିତ କର୍ମଚାରୀମାନଙ୍କ ନିଷ୍ଠାପର ପରିଶ୍ରମ, ବିଭିନ୍ନ ପ୍ରଶାସନିକ ଟିମ୍ର ସୁଦୃଢ଼ ସମନ୍ୱୟ ଏବଂ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଯୋଗୁଁ ଏହି ଅଭିଯାନ ଏକ ଐତିହାସିକ ସଫଳତା ଦିଗରେ ଅଗ୍ରସର ହୋଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅବଶିଷ୍ଟ କାର୍ଯ୍ୟକୁ ଆସନ୍ତା ୩ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଯିବ, ଯାହା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସଠିକ୍ ଭାବେ ସ୍ଥାନ ପାଇବ ଏବଂ ଗଣତନ୍ତ୍ରର ମୂଳ ଭିତ୍ତି ଆହୁରି ସୁଦୃଢ଼ ହେବ।