ସିମନବାଡ଼ି ଛକରେ ଅମାନିଆ ଅଟୋ ଚାଳକଙ୍କ ରାଜୁତି, ଅଟୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ।

0 0

ବାଲିଗୁଡ଼ା: ୨୮/୧୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବିଶେଷକରି ସିମନବାଡ଼ି ଛକରେ ଅମାନିଆ ଅଟୋ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଓ ବେଆଇନ ପାର୍କିଂ ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ଆଶଙ୍କା ବଢ଼ିବା ସହ ଏହା ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶନିବାର ଅପରାହ୍ନରେ ଏକ ଅଟୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହେବା ଘଟଣା ଏହି ସମସ୍ୟାକୁ ପୁଣିଥରେ ସାମ୍ନାକୁ ଆଣିଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ଅଞ୍ଚଳର ଦେବାଶିଷ ମଲ୍ଲିକ ଶନିବାର ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା ଅଭିମୁଖେ ନିଜ ବାଇକ୍‌ରେ ଫେରୁଥିବା ସମୟରେ ସିମନବାଡ଼ି ଛକ ନିକଟରେ ଏକ ଅଟୋ ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା। ଅଟୋଟି ହଠାତ୍ ଛକରୁ ବିପରୀତ ଦିଗକୁ ମୋଡ଼ ନେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଦେବାଶିଷ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଦୁର୍ଘଟଣା ସମୟରେ ସେ ହେଲମେଟ୍ ପିନ୍ଧିଥିବା ସହ କାନ୍ଧରେ ବ୍ୟାଗ୍ ରହିଥିବାରୁ ଏକ ବଡ଼ ବିପଦରୁ ରକ୍ଷା ପାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ସିମନବାଡ଼ି ବଜାର ଉପରେ ଆଖପାଖର ବହୁ ଦୁର୍ଗମ ଅଞ୍ଚଳର ଶହଶହ ଲୋକ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି। ଏଥିଯୋଗୁଁ ସିମନବାଡ଼ିରୁ ଦାରିଙ୍ଗବାଡ଼ି ମଧ୍ୟରେ ପ୍ରତିଦିନ ବହୁ ଅଟୋ ଯାତ୍ରୀ ପରିବହନ କରୁଛନ୍ତି। କିନ୍ତୁ ଯାତ୍ରୀ ଉଠାଇବା ଓ ଓହ୍ଲାଇବା ନାମରେ କିଛି ଅଟୋ ଚାଳକ ଜାତୀୟ ରାଜପଥର ଛକ ଉପରେ ମନଇଚ୍ଛା ଗାଡ଼ି ରଖୁଥିବା ଅଭିଯୋଗ ହେଉଛି। ଫଳରେ ରାସ୍ତା ସଂକୀର୍ଣ୍ଣ ହେବା ସହ ଅନ୍ୟ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏପରିକି ହଠାତ୍ ଗାଡ଼ି ମୋଡ଼ିବା, ଯେକୌଣସି ସ୍ଥାନରେ ଯାତ୍ରୀ ଉଠାଇବା ଓ ଅବ୍ୟବସ୍ଥିତ ପାର୍କିଂ ଯୋଗୁଁ ଦାରିଙ୍ଗବାଡ଼ି-ବାଲିଗୁଡ଼ା ରାସ୍ତାରେ ଯାତାୟାତ କରୁଥିବା ବାଇକ୍ ଚାଳକଙ୍କ ସମେତ ଅନ୍ୟ ଗାଡ଼ି ଚାଳକମାନେ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସିମନବାଡ଼ି ଛକରେ ଅଟୋ ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବା ସହ ବେଆଇନ ପାର୍କିଂ ଉପରେ ରୋକ୍ ଲଗାଇବା ଜରୁରୀ ହୋଇପଡ଼ିଛି। ଏଥିସହ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ନିୟମିତ ଯାଞ୍ଚ ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ସଚେତନ ମହଲରେ ଦାବି ହେଉଛି। ଦୁର୍ଘଟଣା ଘଟିବା ପରେ ପଦକ୍ଷେପ ନେବା ପରିବର୍ତ୍ତେ ଆଗୁଆ ସତର୍କତା ଅବଲମ୍ବନ କରିବାକୁ ଦାବି ହୋଇଛି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.