ରାଜ୍ୟବ୍ୟାପି ସାର ସଙ୍କଟ ଘଟଣା : ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବାକୁ ଦାବି କଲା ଚାଷୀ ସୁରକ୍ଷା ଅଭିଯାନ ।

0 179

ବ୍ରହ୍ମପୁର,୨୨/୦୭(ପିପିଟି): ରାଜ୍ୟରେ ଚଳିତ ଜୁଲାଇ ମାସରେ ଭଲ ମୌସୁମୀ ବର୍ଷା ପରେ ଚାଷୀ ମାନେ ଖରିଫ ଧାନ ଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏତିକି ବେଳେ ଦେଖାଦେଇଥିବା ସାର ସଙ୍କଟ ଚାଷ ପାଇଁ ଚାଷୀଙ୍କ ସରାଗ ଭାଙ୍ଗି ଦେଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ୟୁରିଆ ଏବଂ ଡିଏପି ସାର ପାଇଁ ଚାଷୀ ରାତି ଅଧରୁ ପାକୁ ଓ ଲ୍ୟାମ୍ପ ଆଗରେ ଆଧାର କାର୍ଡ ଦେଇ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । ମାତ୍ର ସେମାନଙ୍କୁ ଆବଶ୍ୟକ ପରିମାଣରେ ସାର ମିଳୁ ନାହିଁ । ହେଲେ ଖୋଲାବଜାରରେ ଚଢ଼ା ଦରରେ କିନ୍ତୁ ସାର ଯାହାକୁ ଯେତେ ମିଳୁଥିବା ପରିଲକ୍ଷିତ ହେଉଛି । ଏହାକୁ ନେଇ ଚାଷୀ ମହଲରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ସମାନ ସମୟରେ ସରକାରଙ୍କ ଏକ ନିର୍ଦ୍ଦେଶନାମା ଏହି ଅସନ୍ତୋଷକୁ ଦ୍ବିଗୁଣିତ କରିଛି । ତେଣୁ ସରକାର ଯଥାଶୀଘ୍ର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇ ଦିଅନ୍ତୁ ବୋଲି ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଦାବି କରିଛନ୍ତି । ଅନ୍ୟପଟେ ସରକାର ସମବାୟ ସମିତି ଜରିଆରେ ସାର ଯୋଗାଣ ବ୍ୟବସ୍ଥା ନ କରି ଅପରପକ୍ଷେ ଡିଲରଙ୍କ ଦ୍ଵାରା ବଣ୍ଟନ ଦାୟିତ୍ଵ ହସ୍ତାନ୍ତର କରିଥିବାରୁ କଳାବଜାରୀ ହେଉଥିବା ଶ୍ରୀ ରଥ ଅଭିଯୋଗ କରିଛନ୍ତି ।

ଧାନତଳି ଓ ରୁଆପୋତା ପାଇଁ ଚାଷୀକୁ ଏବେ ୟୁରିଆ ଓ ଡିଏପି ସାର ଆବଶ୍ୟକ ଥିବାବେଳେ ରାଜ୍ୟ ସରକାର ଏହା ବଦଳରେ ଆମୋନିୟମ୍‌‍ ସଲ୍‌‍ଫେଟ୍‌‍ ଓ କମ୍ପ୍ଲେକ୍ସ ସାର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ନିର୍ଦେଶ ଦେଇଛନ୍ତି । ଫଳରେ ଅଞ୍ଚଳରେ ସାର କଳାବଜାର ହୋଇ ୟୁରିଆ ସାର ସରକାରୀ ଦର ୨୬୬ ଥିବା ବେଳେ ଚାଷୀମାନେ ବାହାରୁ ୭୦୦ ଟଙ୍କାରେ କ୍ରୟ କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ଦ୍ଵିଗୁଣିତ କରିବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କୁହାଯାଉଥିଲେ ମଧ୍ୟ ଚାଷୀମାନେ ଆଜି ଶୋଷଣର ଶିକାର ହେଉଛନ୍ତି । ଗତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ହେରଫେର ଅଭିଯୋଗ ହୋଇଥିଲେ ମଧ୍ୟ ଏ ଦିଗରେ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି ।

ଅନ୍ୟପଟେ ୟୁରିଆ ବଦଳରେ ଆମୋନିୟମ୍‌‍ ସଲ୍‌‍ଫେଟ୍‌‍ ବ୍ୟବହାର କରିବାକୁ ଚାଷୀ ଅନିଚ୍ଛା ପ୍ରକାଶ କରୁଛନ୍ତି । କାରଣ ୧ କୁଇଣ୍ଟାଲ ୟୁରିଆରେ କ୍ଷେତକୁ ୪୬ କିଲୋ ନାଇଟ୍ରୋଜେନ ମିଳେ ମାତ୍ର ସେହି ୧ କୁଇଣ୍ଟାଲ ଆମୋନିୟମ୍‌‍ ସଲ୍‌‍ଫେଟ୍‌‍ରେ ୨୦ କିଲୋ ନାଇଟ୍ରୋଜେନ ମିଳିବ, ଯାହାହାରା ଚାଷୀର ଉତ୍ପାଦନ ପ୍ରଭାବିତ ହେବ। ଏହାବ୍ୟତୀତ ୟୁରିଆ ତୁଳନାରେ ଆମୋନିୟମ୍‌‍ ସଲ୍‌‍ଫେଟର ଦାମ୍‌‍ ମଧ୍ୟ ଅଧିକ ରହୁଛି, ଯାହାକୁ ନେଇ ଚାଷୀକୁଳରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଛି ।

ୟୁରିଆ ସାର ମହଜୁଦ ନଥିବାରୁ ଚାଷୀମାନଙ୍କୁ ବିକଳ୍ପ ଭାବେ ଅନ୍ୟ ସାର ନେବାକୁ ବାଧ୍ୟ କରାଯାଉଛି। ଚାଷୀଙ୍କୁ ସରକାର ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇଦେବାକୁ ଚାଷୀ ସୁରକ୍ଷା ଅଭିଯାନର ଆବାହକ ଶ୍ରୀ ରଥ ଦାବି କରିଛନ୍ତି ।

Leave A Reply

Your email address will not be published.