ବୋଲଗଡ଼,୨୧/୭ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଧୀନ ମା’ ବୁଢ଼ୀଦେଇ ପାଟବନ୍ଧ ଡ୍ୟାମର ସଟର ଦୀର୍ଘ ଏକ ବର୍ଷ ଧରି ଅଚଳ ହୋଇ ପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ମରାମତି କାମ ଆରମ୍ଭ ହୋଇନାହିଁ। ଫଳରେ ଡ୍ୟାମ ଉପରେ ନିର୍ଭରଶୀଳ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ବାରମ୍ବାର ପାଣି ପଞ୍ଚାୟତ ସଭାପତି ଓ ଜଳସମ୍ପଦ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, କାର୍ଯ୍ୟକାରୀ ପଦକ୍ଷେପ ଦେଖିବାକୁ ମିଳୁନାହିଁ। ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ଗତ ଜାନୁଆରୀ ୧୯ ତାରିଖରେ ମା’ ବୁଢ଼ୀଦେଇ ଡ୍ୟାମ ପରିସରରେ ପାଣି ପଞ୍ଚାୟତ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଚାଷୀମାନଙ୍କୁ ଆଶ୍ୱାସନ ଦେଇଥିଲେ ଯେ, ୧୫ ଦିନ ମଧ୍ୟରେ ସଟର ମରାମତି କାମ ଶେଷ କରାଯିବ। ଅଧିକାରୀମାନଙ୍କ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ଚାଷୀମାନେ ଅପେକ୍ଷା କରିଥିଲେ। କିନ୍ତୁ ଆଜି ସାତ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କାମର କୌଣସି ଅଗ୍ରଗତି ହୋଇନାହିଁ। ଅଧିକାରୀଙ୍କ ପ୍ରତିଶ୍ରୁତି କେବଳ କାଗଜ କଲମରେ ସୀମିତ ରହିଯାଇଛି। ଚାଷୀମାନଙ୍କ କହିବା ଅନୁଯାୟୀ, ପାଣି ପଞ୍ଚାୟତ ସଭାପତିଙ୍କୁ ପଚାରିଲେ ସେ ସବୁବେଳେ ଗୋଟିଏ କଥା କହୁଛନ୍ତି— କାମ ଜଣେ ଠିକାଦାରଙ୍କୁ ଦିଆଯାଇଛି, ଆଜି କିମ୍ବା କାଲି ମରାମତି କାମ ଆରମ୍ଭ ହେବ। ହେଲେ ଏହି “ଆଜି କାଲି” କଥା ଶୁଣି ଶୁଣି ବର୍ଷେ ବିତିଗଲାଣି। ଏପର୍ଯ୍ୟନ୍ତ ଡ୍ୟାମ ସଟର ପୂର୍ବଭଳି ଅଚଳ ଅବସ୍ଥାରେ ପଡ଼ିରହିଛି।ମା’ ବୁଢ଼ୀଦେଇ ଡ୍ୟାମ ଉପରେ ଜରିପଡ଼ା, ପୋଡ଼ପାଟଣା, ଗୋଡ଼ିଆଳି, ପାଟବନ୍ଧ ଓ କୃଷ୍ଣପୁର ସମେତ ଆଖପାଖର ଅନେକ ଗ୍ରାମର ଚାଷୀ ନିର୍ଭର କରୁଛନ୍ତି। ଏହି ଅଞ୍ଚଳର ଅଧିକାଂଶ ଚାଷଜମି ଉଚ୍ଚ ସ୍ଥାନରେ ଥିବାରୁ ଜଳସେଚନ ବିନା ଚାଷ କରିବା ପ୍ରାୟ ଅସମ୍ଭବ। କିନ୍ତୁ ସଟର ଭାଙ୍ଗି ଅଚଳ ହୋଇଥିବାରୁ ଆବଶ୍ୟକ ସମୟରେ ପାଣି ଛଡ଼ାଯାଇ ପାରୁନାହିଁ। ଫଳରେ ଧାନ ସମେତ ବିଭିନ୍ନ ଫସଲ ଚାଷ ଗୁରୁତର ଭାବେ ପ୍ରଭାବିତ ହେଉଛି। ଚାଷୀମାନଙ୍କ ଅଭିଯୋଗ, ଡ୍ୟାମର ମରାମତି ପାଇଁ ପ୍ରତିବର୍ଷ ବଜେଟ୍ ଆସୁଥିବା କଥା କୁହାଯାଉଥିଲେ ମଧ୍ୟ ପ୍ରକୃତରେ କାମ ହେଉନାହିଁ। ବିଭାଗୀୟ ଅଧିକାରୀମାନେ କେବଳ ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଉଛନ୍ତି। ବର୍ତ୍ତମାନ ଚାଷ ଋତୁ ଆରମ୍ଭ ହୋଇଥିବା ବେଳେ ସମସ୍ୟାର ସମାଧାନ ନହେଲେ ହଜାର ହଜାର ଏକର ଜମିରେ ଚାଷ ପ୍ରଭାବିତ ହେବା ସହ ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବେ ବୋଲି ଆଶଙ୍କା କରୁଛନ୍ତି। ସ୍ଥାନୀୟ ଚାଷୀମାନେ କହିଛନ୍ତି, ସେମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ସେମାନଙ୍କ ଦୁଃଖ ଓ ସମସ୍ୟାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଯଦି ତୁରନ୍ତ ଡ୍ୟାମର ସଟର ମରାମତି କରାନଯାଏ, ତେବେ ଆଗାମୀ ଦିନରେ ଚାଷୀମାନେ ଏକଜୁଟ ହୋଇ ବିଭାଗୀୟ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଜଳସମ୍ପଦ ବିଭାଗ କେବେ ମା’ ବୁଢ଼ୀଦେଇ ଡ୍ୟାମର ସଟର ମରାମତି କରୁଛି, ନା ପୁଣି ଥରେ ଆଶ୍ୱାସନରେ ହିଁ ସମୟ ଗଡ଼ାଇ ଦେଉଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।