ମାଲକାନଗିରି,୧୭/୦୮(ପିପିଟି): ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଓ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି। ଏହି ସମ୍ପୂର୍ଣ୍ଣ ଅଭିଯୋଗ ପ୍ରକ୍ରିୟାକୁ ସହକାରୀ ଜିଲ୍ଲାପାଳ ପ୍ରୀତମ ଦେବତା ସୁଚାରୁରୂପେ ସଂଯୋଜନା ଓ ପରିଚାଳନା କରିଥିଲେ।ଅନୁଷ୍ଠିତ ଏହି ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ସମୁଦାୟ ୨୫ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୫ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ହୋଇଥିବା ବେଳେ ୨୦ଟି ସାମୂହିକ ବା ଗ୍ରାମ୍ୟ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା। ଏହି ଶିବିରରେ ପ୍ରଶାସନ ପକ୍ଷରୁ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଏବଂ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ପ୍ରତ୍ୟେକ ଅଭିଯୋଗର ତଦନ୍ତ କରି ସମସ୍ତ ୨୫ଟି ଯାକ ସମସ୍ୟାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଥାଶୀଘ୍ର ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ପ୍ରଶାସନକୁ ସାଧାରଣ ଲୋକଙ୍କ ନିକଟତର କରିବା ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଏଭଳି ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ବେଶ୍ ସହାୟକ ହେଉଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତିର ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)