ଯୁବଶକ୍ତିର ବିକାଶ ହିଁ ରାଷ୍ଟ୍ରର ବିକାଶ ଲକ୍ଷ ନେଇ ଛତ୍ରପୁରରେ ଯୁବୋତ୍ସବ ଅନୁଷ୍ଠିତ ।

0 69

ଛତ୍ରପୁର,୧୧/୧୧(ପିପିଟି): ଯୁବପିଢ଼ିଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା, କଳା, ସାହିତ୍ୟ, ସଂସ୍କୃତି ଓ ନେତୃତ୍ୱ ଦକ୍ଷତାର ବିକାଶ ଲକ୍ଷ୍ୟରେ ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୬’ ଅନ୍ତର୍ଗତ ଯୁବୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଯୁବଶକ୍ତିର ବିକାଶ ହେଲେ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଯୁବପିଢ଼ିଙ୍କ ନୂତନ ଚିନ୍ତାଧାରା, ଅଭିନବ ଉଦ୍ଭାବନ ଓ ଦୃଢ଼ ଇଚ୍ଛାଶକ୍ତି ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନର ମୂଳଦୁଆ ବୋଲି ସେ ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଲୋକ ଲୋଚନକୁ ଆଣିବା ପାଇଁ ସରକାରଙ୍କ ଏହି ଅଭିନବ ପଦକ୍ଷେପ । ଏଣୁ ଛାତ୍ର ଛାତ୍ରୀ ମାନେ ନିଜ ଭିତରେ ଥିବା ପ୍ରତିଟି ପ୍ରତିଭାର ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେହିପରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଯୋଗ ଦେଇ ସ୍ବପ୍ନ, ସମ୍ଭାବନା, ସଂଘର୍ଷ ଓ ସଫଳତା ଏହି ଅବଲୋକନରେ ନିଜ ନିଜ ପ୍ରତିଭାକୁ ପୁଷ୍ଫଟିତ କରନ୍ତୁ ବୋଲି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ ଚରଣ ସ୍ୱାଇଁ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ,ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଲୋକନୃତ୍ୟ ଦଣ୍ଡନାଚ ଠୁ ଆରମ୍ଭ କରି ଲୋକ ସଂଗୀତ,ନାଟକ,ଚିତ୍ରାଙ୍କନ ଓ କବିତା ଲେଖନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ଟ୍ରାକ୍‌ର ବିଷୟବସ୍ତୁ:“ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି” ରହିଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆସନ୍ତାକାଲି ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ । ଶିବାନନ୍ଦ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.