ଭୁବନେଶ୍ୱର, ୧୩/୧୦(ପିପିଟି): ଦରଦାମ୍ ବୃଦ୍ଧିରେ ଅଣନିଃଶ୍ୱାସୀ ହେଉଛନ୍ତି ଓଡ଼ିଶାର ଖାଉଟି। ଦେଶର ସବୁଠୁ ମହଙ୍ଗା ରାଜ୍ୟ ତାଲିକାରେ ତାମିଲନାଡୁ ପଛକୁ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ୬.୭୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଜାତୀୟ ହାର ୫.୫୪ ପ୍ରତିଶତଠାରୁ ୧.୧୬ ପ୍ରତିଶତ ଅଧିକ। ଫଳରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ସେବା ପାଇଁ ରାଜ୍ୟବାସୀଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି।
ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଦରଦାମ୍ ବୃଦ୍ଧିର ଚାପ ଅଧିକ ରହିଛି। ଗ୍ରାମୀଣ ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ୭.୦୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୫.୨୩ ପ୍ରତିଶତ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁ ୬.୮୧ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ୬.୭୦ ପ୍ରତିଶତ ସହ ଦ୍ୱିତୀୟ ଏବଂ ମଧ୍ୟପ୍ରଦେଶ ୬.୬୮ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ତେଲଙ୍ଗାନାରେ ମୁଦ୍ରାସ୍ଫୀତି ୬.୬୪ ପ୍ରତିଶତ ଏବଂ ଆନ୍ଧ୍ରପ୍ରଦେଶରେ ୬.୨୯ ପ୍ରତିଶତ ରହିଛି।
ଅଗଷ୍ଟ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୫.୫ ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ଏହା ୬.୭୦ ପ୍ରତିଶତକୁ ବଢ଼ିଛି। ଅର୍ଥାତ୍ ମାସକ ମଧ୍ୟରେ ଦରଦାମ୍ ଚାପ ଆହୁରି ବଢ଼ିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ତଥ୍ୟ ଅନୁସାରେ, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଦେଶର ମୁଦ୍ରାସ୍ଫୀତି ବଢ଼ିବାର ଏକ ପ୍ରମୁଖ କାରଣ। ଜାତୀୟ ସ୍ତରରେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ଏହା ୫.୫୪ ପ୍ରତିଶତକୁ ବଢ଼ିଛି।
ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ଅଗଷ୍ଟର ୫.୯୭ ପ୍ରତିଶତରୁ ବଢ଼ି ସେପ୍ଟେମ୍ବରରେ ୭.୭୪ ପ୍ରତିଶତରେ ପହଞ୍ଚିଛି। ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ମଧ୍ୟ ଦରବୃଦ୍ଧିର ଚାପ ଜାରି ରହିଛି। ପିଆଜ, ଅଦା, ରସୁଣ ଓ ଲେମ୍ବୁ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଖାଉଟିଙ୍କୁ ଅଧିକ ଚିନ୍ତାରେ ପକାଇଛି। ଏହା ସହ ପରିବହନ, ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସାମଗ୍ରୀ ଏବଂ ସେବାର ଖର୍ଚ୍ଚ ମଧ୍ୟ ବଢ଼ିଛି। ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ମୁଦ୍ରାସ୍ଫୀତି ୬.୦୮ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୪.୮୮ ପ୍ରତିଶତ ରହିଛି।