ପୋଲସରା,୦୩/୦୯(ପିପିଟି): ପୋଲସରା ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅଧୀନରେ ବ୍ଲକ୍ ଗ୍ରାମପଞ୍ଚାୟତ କ୍ଲଷ୍ଟର ସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ତାଲିମ କାର୍ଯ୍ୟକ୍ରମ ପୋଲସରା ପୌରପରିଷଦ ସ୍ଥିତ ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୋଲସରା ବିଇଓ ହର୍ଷବାବୁ ଖାଡ଼ଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ‘ଉଲ୍ଲାସ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସାକ୍ଷରତାର ଗୁରୁତ୍ବ ଓ ନିରକ୍ଷର ବୟସ୍କମାନଙ୍କୁ ସାକ୍ଷର କରିବା ଦିଗରେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏବିଇଓ ତଥା ବ୍ଲକ୍ ନୋଡାଲ ଅଧିକାରୀ ଭାଗିରଥୀ ପାତ୍ର ଉପସ୍ଥିତ ରହି ତାଲିମ ନେଉଥିବା ପ୍ରଧାନ ଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ। ବି ଆରସି ସ୍ୱରୂପ କୁମାର ପାତ୍ର, ବି ଆରଜି ନିରଞ୍ଜନ ବେହେରା ଓ ମଳୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ। ଏଥିରେ ୧୧ ଗୋଟି କ୍ଲଷ୍ଟରର ସିଆରସିସିଙ୍କ ସମେତ ସିଆରଜି ସଭ୍ୟ ଉପସ୍ଥିତ ଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଗୋଚ୍ଛାବାଡି, ଭାବରଡ଼ା, ବର୍ତ୍ତିନୀ, କଣଛାଇ, ହାତୀଓଟ,ନିମିନା କ୍ଲଷ୍ଟର ଗୁଡ଼ିକର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗଦେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପୌରପରିଷଦର ଦେଉଳପେଡ଼ି, ମଥୁରା, ବଡ଼ପଙ୍କଳବାଡ଼ି, କଳମ୍ବ ଓ ଛଞ୍ଚାଣିଆପଲ୍ଲୀ କ୍ଲଷ୍ଟର ଗୁଡ଼ିକର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀମାନେ ତାଲିମ ନେଇଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା