ଓଡ଼ିଶା ସରକାରଙ୍କ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପ୍ରତି ପାତରଅନ୍ତର ନୀତି ।

0 0

ଭୁବନେଶ୍ୱର,୦୩/୦୯(ପିପିଟି ):୩ ସେପ୍ଟେମ୍ବର ବିଦ୍ୟାଳୟଗୁଡ଼ିକରେ ଉର୍ଦ୍ଦୁ ଓ ପାର୍ସୀ ଭାଷା ଚୟନ କରିଥିବା ଛାତ୍ରଛାତ୍ରୀଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣି ଓଡ଼ିଶା କଂଗ୍ରେସ ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀକୁ କଂଗ୍ରେସର ଜାତୀୟ ମୁଖପାତ୍ର ଡକ୍ଟର ହମିଦ ହୁସେନ ସମ୍ବୋଧିତ କରିଥିଲେ।
ଡକ୍ଟର ହୁସେନ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ଓଡ଼ିଶା ସରକାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇ ଦେଉଛନ୍ତି, କିନ୍ତୁ ଯେଉଁ ଛାତ୍ରଛାତ୍ରୀମାନେ ଉର୍ଦ୍ଦୁକୁ ମାତୃଭାଷା (MIL) କିମ୍ବା ଉର୍ଦ୍ଦୁ/ପାର୍ସୀକୁ ତୃତୀୟ ଭାଷା ଭାବେ ଚୟନ କରିଛନ୍ତି, ସେମାନଙ୍କୁ ବହି ଦିଆଯାଉ ନାହିଁ। ଓଡ଼ିଆ, ଇଂରାଜୀ, ସଂସ୍କୃତ ଏବଂ ହିନ୍ଦୀ ଭାଷାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ କରାଯାଇଛି। ମାତ୍ର ଯେଉଁମାନେ ଉର୍ଦ୍ଦୁ ଓ ପାର୍ସୀ ଭାଷା ବାଛିଛନ୍ତି, ସେମାନଙ୍କୁ ଉର୍ଦ୍ଦୁ ଏବଂ ପାର୍ସୀ ବିଷୟର ବହି ମିଳିନାହିଁ।ଏହା ବ୍ୟତୀତ, ସରକାରୀ ଅନୁଦାନପ୍ରାପ୍ତ ମଦ୍ରାସାଗୁଡ଼ିକରେ ମଞ୍ଜୁର ହୋଇଥିବା ୮୦୪ଟି ଉର୍ଦ୍ଦୁ ଶିକ୍ଷକ ପଦବୀ ମଧ୍ୟରୁ ୨୮୯ଟି ପଦବୀ ଖାଲି ପଡ଼ିଛି। ସରକାର ଏହି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ଇମଦାଦ ଯୋଗଦେଇ ଭୁବନେଶ୍ୱରରେ ଉର୍ଦ୍ଦୁ ଭାଷାର ଛାତ୍ରଛାତ୍ରୀଙ୍କ ଦୟନୀୟ ସ୍ଥିତି ବିଷୟରେ ଉପସ୍ଥାପନ କରିଥିଲେ। ଅନ୍ୟପଟେ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ମଲ୍ଲିକ ଇନାମୁଲ କହିଥିଲେ ଯେ କେବଳ କାକଟପୁର ବ୍ଲକରେ ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଉର୍ଦ୍ଦୁ ଭାଷା ଚୟନ କରିଛନ୍ତି ଏବଂ ସେମାନେ ଉର୍ଦ୍ଦୁ ପାଠ୍ୟପୁସ୍ତକ ବିନା ହଇରାଣ ହେଉଛନ୍ତି। ଏହି କାରଣରୁ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ପ୍ରାୟ ୨୦୦୦ ଭୁଲ ରହିଥିବା ଯୋଗୁଁ ସେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଏବଂ ଆଳି ଭଳି ତିନୋଟି ହାଇସ୍କୁଲରେ ଉର୍ଦ୍ଦୁ ଭାଷା ଶିକ୍ଷା ଦିଆଯାଉଛି, ଯେଉଁଠାରେ ଉର୍ଦ୍ଦୁ ଶିକ୍ଷକଙ୍କ ଅଭାବ ରହିଛି। ସାରା ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ବିଦ୍ୟାଳୟଗୁଡ଼ିକ ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ଉର୍ଦ୍ଦୁ ଓ ପାର୍ସୀ ଭାଷାର ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବହି ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି।

Leave A Reply

Your email address will not be published.