ବୋଲଗଡ଼ରେ ବ୍ଲକସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ ଅନୁଷ୍ଠିତ।

0 1

ବୋଲଗଡ଼,୨୮/୧୧ (ପିପିଟି): ଖୋର୍ଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ପରିଷଦ ଆନୁକୂଲ୍ୟରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କୋଇ ପଞ୍ଚାୟତର କନ୍ତାଇଲୋ ସ୍ଥିତ ବାଲାଜୀ ମଠ ଖେଳପଡ଼ିଆ ପରିସରରେ ଏକ ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଭାବଗମ୍ଭୀର ସମ୍ମିଳନୀରେ ବୋଲଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଅପା ଓ ଭାଇମାନେ ଯୋଗଦାନ କରି ଆଧ୍ୟାତ୍ମିକ ଚେତନାର ଦୀପ ପ୍ରଜ୍ଜ୍ୱଳିତ କରିଥିଲେ। ଏହି ଅବସରରେ ବରିଷ୍ଠ କର୍ମୀମାନେ ମାନବ ଜୀବନରେ ପାଠଚକ୍ରର ଅପରିହାର୍ଯ୍ୟତା ସମ୍ପର୍କରେ ଆଲୋକପାତ କରି କହିଥିଲେ, ଶ୍ରୀଅରବିନ୍ଦ କେବଳ ଜଣେ ଦାର୍ଶନିକ ନୁହଁନ୍ତି, ସେ ହେଉଛନ୍ତି ନବ ମାନବ ସୃଷ୍ଟିର ମହାନ ସ୍ୱପ୍ନଦ୍ରଷ୍ଟା। ତାଙ୍କ ଦିବ୍ୟ ଦର୍ଶନରେ ମନୁଷ୍ୟ ହେଉଛି ଏକ ଅସମ୍ପୂର୍ଣ୍ଣ ସୃଷ୍ଟି, ଯାହାକୁ ଯୋଗ ସାଧନା ବଳରେ ଅତିମାନବରେ ପରିଣତ କରିବାକୁ ପଡ଼ିବ। ଆଉ ସେହି ଯୋଗର କରୁଣାମୟୀ ଶକ୍ତି ହେଉଛନ୍ତି ଶ୍ରୀମା।

ଶ୍ରୀମା କହିଛନ୍ତି ଜୀବନର ପ୍ରତ୍ୟେକ କର୍ମକୁ ଭଗବାନଙ୍କ ଚରଣରେ ଅର୍ପଣ କର, ସେହି ହିଁ ପ୍ରକୃତ ଯୋଗ ଏହି ବାର୍ତ୍ତାକୁ ସମସ୍ତଙ୍କ ହୃଦୟରେ ସ୍ଥାପିତ କରିବା ହିଁ ପାଠଚକ୍ରର ମୂଳ ଲକ୍ଷ୍ୟ। ପାଠଚକ୍ର ମାଧ୍ୟମରେ ଗ୍ରାମେ ଗ୍ରାମେ ନୈତିକତା, ସତ୍ୟ ଓ ପ୍ରେମର ସ୍ନିଗ୍ଧ ଧାରା ପ୍ରବାହିତ ହେଉଛି। ଆଜିର ମୋବାଇଲ୍ ଓ ନିଶାଗ୍ରସ୍ତ ବିଭ୍ରାନ୍ତ ସମାଜରେ ଦିଗହରା ଯୁବପିଢ଼ିଙ୍କୁ ସତମାର୍ଗ ଦେଖାଇବା ପାଇଁ ପାଠଚକ୍ର ହିଁ ଏକମାତ୍ର ଆଲୋକବର୍ତ୍ତିକା।
ପରିଶେଷରେ ସମସ୍ତ ସାଧକ ସାଧିକା ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଶ୍ରୀଚରଣରେ ବିଶ୍ୱ ଶାନ୍ତି ଓ ମାନବ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରି ସମ୍ମିଳନୀର ପରିସମାପ୍ତି ଘୋଷଣା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.