ବୋଲଗଡ଼ରେ ଓଲଟିଲା ସାର ବୋଝେଇ ଟ୍ରକ୍ – ଅଳ୍ପକେ ବର୍ତିଲା ଜୀବନ।

0 1

ବୋଲଗଡ଼, ୦୬/୧୦ (ପିପିଟି): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବୋଲଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ସାର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଚାଷ ଜମିକୁ ଓଲଟି ପଡ଼ିଛି।

ସୂଚନା ଅନୁସାରେ, ଜଟଣୀ ମାଲ ଗୋଦାମରୁ ଇଫକୋ କମ୍ପାନୀର ପ୍ରାୟ ୫୦୦ ବସ୍ତା ପଟାସ୍ ସାର ବୋଝେଇ କରି ଟ୍ରକ୍ ଟି ନୟାଗଡ଼ ଅଭିମୁଖେ ଯାଉଥିଲା। ବୋଲଗଡ଼ ନିକଟରେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ ରାସ୍ତାର ବାମ ପାର୍ଶ୍ୱକୁ ଖସି ଚାଷ ଜମି ଭିତରେ ଓଲଟି ପଡ଼ିଥିଲା। ଫଳରେ ଟ୍ରକରେ ଥିବା ଶହ ଶହ ବସ୍ତା ସାର ଚାଷ ଜମିରେ ଛିଟିକି ପଡ଼ିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ସାର ନେଉଥିବା ବ୍ୟବସାୟୀ ଜଣକ ସ୍ଥାନୀୟ ଶ୍ରମିକଙ୍କ ସହାୟତାରେ ଚାଷ ଜମି ମଧ୍ୟରୁ ସମସ୍ତ ବସ୍ତାକୁ ଉଦ୍ଧାର କରି ଜାତୀୟ ରାଜପଥ କଡ଼ରେ ଗଦା କରିଥିଲେ। ପରେ ଅନ୍ୟ ଏକ ଟ୍ରକ୍ ଯୋଗେ ସମସ୍ତ ସାର ନୟାଗଡ଼କୁ ପଠାଯାଇଥିଲା।

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.