ପାରଳାଖେମୁଣ୍ଡି,୦୮/୧୦(ପିପିଟି): ଶାସକ ଭାଜପାର ବିଜୟ ପାଇଁ ଦେଶର ନିର୍ବାଚନ କମିଶନଙ୍କ ଭୋଟ ଚୋରୀକୁ ବିରୋଧ କରି ତଥା ଅନ୍ୟାନ୍ୟ ଦାବି ନେଇ ବିରୋଧୀ ଦଳମାନଙ୍କ ଦ୍ଵାରା ଆହୂତ ଓଡିଶା ବନ୍ଦ ଆଜି ପାରଳାଖେମୁଣ୍ଡିରେ ସଫଳ ହୋଇଛି । ଆଜି ପୂର୍ବାହ୍ନରେ ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀର କର୍ମୀମାନେ ବହୁସଂଖ୍ୟାରେ ଆସି ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବିଭିନ୍ନ ସରକାରୀ ଅଫିସ ଆଗରେ ପିକେଟିଂ କରି ବନ୍ଦ କରାଇଥିଲେ । ଭୋଟ ଚୋରୀରେ ସାମିଲ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରର୍ ଇସ୍ତଫା ପ୍ରଦାନ, ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ସଂଶୋଧନ, SIR ପ୍ରକ୍ରିୟାକୁ ବାତିଲ କରିବା, ଏସଆଇଆରରେ ଭୋଟର ତାଲିକାରୁ ବାଦ ପଡିଯାଇଥିବା ଦେଶର ୧୩ କୋଟିରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ପୁନଃ ସାମିଲ କରାଇବା, ରାଜ୍ୟରେ ବିକାଶ ନାଁରେ ସବୁ ଖଣିକୁ ବଡ଼ ବଡ କମ୍ପାନୀ ହାତକୁ ଟେକିଦେବା ବନ୍ଦ କରିବା, ରାଜ୍ୟର ସ୍ୱାର୍ଥ ବିରୋଧୀ ତଥା ଆଦିବାସୀ ବିରୋଧୀ ଖଣି ଖଣିଜ ଆଇନ (MMDR Act-2026) କୁ ବାତିଲ କରିବା ଆଦି ଦାବି ନେଇ ଆଜି ‘ଓଡିଶା ବନ୍ଦ’ର ଡାକରା ଦିଆଯାଇଥିଲା । ଆଜିର ଏହି ବନ୍ଦ ପାଳନରେ ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀର ଜିଲ୍ଲା ସମ୍ପାଦକ କେଦାର ଶବର, ଜିଲ୍ଲା କମିଟି ସଦସ୍ୟ କାରୁକା ଶବର, କାଡୁକା ଶବର, ମୂରଲୀ ଗମାଙ୍ଗ, ଜୁନେସ ମେଦି, ନିୟାପଲି ଶବର ପ୍ରମୁଖ ନେତୣତ୍ଵ ନେଇଥିଲେ । ଆନ୍ଦୋଳନକାରୀଙ୍କ ଡାକରାରେ ଆଜି ସହରର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର, ବୀମା କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିଲା । ପାରଳାଖେମୁଣ୍ଡିରୁ ଜିଲ୍ଲାର ଅନ୍ୟ ସ୍ଥାନକୁ ଜିଲ୍ଲା ବାହାରକୁ ବସ ଚଳାଚଳ ମଧ୍ୟ ବନ୍ଦ ଥିଲା ।
ବନ୍ଦର ସଫଳତା ପାଇଁ ଜିଲ୍ଲା ସମ୍ପାଦକ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।