ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡିହା ଅଭୟାରଣ୍ୟ, ପ୍ରକୃତିର କୋଳରେ ମିଳିବ ରୋମାଞ୍ଚକର ଅନୁଭୂତି ।

0 0

ବାଲେଶ୍ୱର, ୦୪/୧୧: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବର୍ଷାଋତୁ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ କୁଳଡିହା ଅଭୟାରଣ୍ୟ ଆଜିଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ନୀଳଗିରି ଉପଖଣ୍ଡ ଅଧୀନରେ ଥିବା ଏହି ଅଭୟାରଣ୍ୟ ଜୁନ୍ ୧୫ ତାରିଖରୁ ବର୍ଷାଋତୁ ଯୋଗୁଁ ବନ୍ଦ ରହିଥିଲା। ୨୭୨.୭୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ବଣପାହାଡ଼ ଘେରା ଅଭୟାରଣ୍ୟରେ ପର୍ଯ୍ୟଟକମାନେ ସବୁଜିମାଭରା ପ୍ରାକୃତିକ ପରିବେଶ, ବୋଟିଂ ଓ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଦେଖିବା ସହ ଜଙ୍ଗଲ ମଧ୍ୟରେ ରାତ୍ରିଯାପନର ସୁବିଧା ଉପଭୋଗ କରିପାରିବେ। ଏଠାରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ନୀଳଗାଇ, ଠେକୁଆ, ବଜ୍ରକାପ୍ତା, ମୟୂର, ଜଙ୍ଗଲୀ କୁକୁଡ଼ା ସମେତ ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାକୁ ମିଳେ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରବେଶ ସମୟ ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ଅଭୟାରଣ୍ୟ ପରିଭ୍ରମଣ ଶେଷ କରିବାକୁ ହେବ। ପ୍ରବେଶ ଶୁଳ୍କ ବାବଦରେ ପ୍ରତି ବ୍ୟକ୍ତିଙ୍କ ପାଇଁ ୪୦ ଟଙ୍କା, କ୍ୟାମେରା ପାଇଁ ୫୦ ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହି ଅବସରରେ ଗୋହିରାଭୋଳ ଗେଟ୍ ନିକଟରେ ବନ ବିଭାଗ ପକ୍ଷରୁ ଉଦ୍ଘାଟନୀ ଉତ୍ସବ ଓ ପର୍ଯ୍ୟଟକଙ୍କ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଉପଜିଲ୍ଲାପାଳ, ଡିଏଫ୍ଓ ଓ ଏସିଏଫ୍ଙ୍କ ସମେତ ବନ ବିଭାଗର ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କୁଳଡିହା ଅଭୟାରଣ୍ୟ ଖୋଲିବା ପରେ ପର୍ଯ୍ୟଟନ ଋତୁରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିବା ସହ ଅଞ୍ଚଳର ପର୍ଯ୍ୟଟନ କାର୍ଯ୍ୟକଳାପକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.