ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଟଙ୍କା ହଡପ ଘଟଣା ମୁଖ୍ୟ ଅଭିଯୁକ୍ତ କିରାଣୀ ଗିରଫ ।

0 185

ବାଲିଆପାଳ ,୦୨/୦୮: ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କାର ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା କିରାଣୀ ଦେବଦ୍ୟୁତି ନନ୍ଦଙ୍କୁ ଆଜି ଭିଜିଲାନ୍ସ ଟିମ ଗିରଫ କରିବାରେ ସଫଳ ହୋଇଛି।ବିଭିନ୍ନ ଉପାୟରେ ଜାଲିଆତି କରି କିରାଣୀ ଶ୍ରୀ ନନ୍ଦ ୩୭ ଲକ୍ଷ ୩୨ ହଜାର ୭୦୮ ଟଙ୍କା ହଡ଼ପ କରିବାରେ ସଫଳ ହୋଇଥିଲେ। ନିଜ ଧର୍ମପତ୍ନୀ ସମେତ ଅନ୍ୟ କିଛି ସମ୍ପର୍କୀୟଙ୍କ ଏକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଟ୍ରଜେରି ଅଡିଟ ସମୟରେ ଜଣାପଡ଼ିଥିଲା। ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରିଣୀ ସୋମାରାଣୀ ସେଠୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ଜଣାଇଥିଲେ।ପରେ ଏହି କେସ ଟିକୁ ଜୁଲାଇ ମାସ ୨୨ ତାରିଖରେ ଭିଜିଲାନ୍ସକୁ ହସ୍ତାନ୍ତର କରାଯାଇଥିଲା। ଭିଜିଲାନ୍ସ ଟିମ ଏହି ଘଟଣାରେ ତଦନ୍ତ କରିଵା ସହ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ କାର୍ଯ୍ୟଳୟର ଅନ୍ୟ କର୍ମଚାରୀ ମାନଙ୍କୁ ପଚରା ଉଚରା ଜାରି ରଖିଛି ।ଆଜି ଭିଜିଲାନ୍ସ ଟିମ ବାଲିଆପାଳ ଅଂଚଳରୁ ଶ୍ରୀ ନନ୍ଦଙ୍କୁ ଗିରଫ କରିବାରେ ସଫଳ ହୋଇଛି।. ତେବେ ବର୍ଷ ବର୍ଷ ଧରି ୩୭ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସତ କରିବା ଘଟଣାରେ ଦସ୍ତାବିଜରେ ଦସ୍ତଖତ କରିଥିବା ମୁଖ୍ୟ କିରାଣୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରୁ ବିଗତ ଦିନରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବା ନେଇ ଦାବି ହୋଇଛି। କିରାଣୀ ଶ୍ରୀ ନନ୍ଦ ବାଲିଆପାଳ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୨୦୨୦ ମସିହାରୁ ଦାୟିତ୍ୱରେ ରହିଥିବା ବେଳେ ଏକାଧିକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ତେବେ କେଉଁ ସମୟରେ ଏହି ଦୁର୍ନୀତି ହୋଇଛି ଏବଂ ଏଥିରେ କେବଳ କିରାଣୀ ଶ୍ରୀ ନନ୍ଦ ସମ୍ପୃକ୍ତ ଅଛନ୍ତି ନା ପ୍ରଚ୍ଛଦପଟରେ ଆଉ କେହି ଅଛନ୍ତି ତାହାର ଟିକନିକ ତଦନ୍ତ କରାଗଲେ ସବୁ ସତ୍ୟର ପର୍ଦାଫାଶ ହୋଇପାରିବ। ସୂଚନା ଯୋଗ୍ୟ ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ପାଞ୍ଚ ବର୍ଷ ଧରି କାର୍ଯ୍ୟରତ କିରାଣୀ ଦେବଦ୍ୟୁତି ନନ୍ଦ ନିଜ ସ୍ତ୍ରୀ ତନୁଜା ବିଶ୍ୱାଳ ସମେତ ଅନ୍ୟ କିଛି ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଜାଲ ଟ୍ରେଜେରୀ ଚାଲାଣ କରି ବର୍ଷ ବର୍ଷ ଧରି ଲକ୍ଷାଧିକ ଟଙ୍କା ହଡ଼ପ କରି ଆସୁଥିଲେ ନିକଟରେ ଟ୍ରେଜେରୀ ଅଡିଟ ସମୟରେ ଏହି ଦୁର୍ନୀତି ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.