ବର୍ଷାରେ ଭାଙ୍ଗିଲା ପାଞ୍ଚ ପରିବାରର ଘର, ବଢିଲା ଚିନ୍ତା।

0 34

ପୋଲସରା ,୨୫/୦୯(ପିପିଟି): ଲଗାଣ ବର୍ଷାରେ ଦୁର୍ବଳ ହୋଇପଡିଥିବା ଘରର କାନ୍ଥ ଭୁଶୁଡି ପଡିବା ପରେ ଏବେ ଚିନ୍ତାରେ ସୋଡ଼କ ନୂଆସାହିର ପାଞ୍ଚ ପରିବାର। ବର୍ଷାର ପ୍ରଭାବରେ ସାହିର ସବିତା ବରଡ, ଜୟନ୍ତୀ ପ୍ରଧାନ, ଝୁନୁ ପ୍ରଧାନ, ରଞ୍ଜିତା ପ୍ରଧାନ ଓ ପାଣ ପ୍ରଧାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବାରୁ ଚାଳଛପର ଘରର କାନ୍ଥ ଦୁର୍ବଳ ହୋଇ ଗୋଟିଏ ପରେ ଗୋଟିଏ ଘର ଭୁଶୁଡି ପଡିଥିବା ଜଣାପଡିଛି। ଘର ଭାଙ୍ଗିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବାରୁ ପରିବାର ଗୁଡିକ ଅସୁବିଧାରେ ପଡିଛନ୍ତି। ବର୍ଷା ମଧ୍ୟରେ ଭଙ୍ଗା ଘରରୁ ଆବଶ୍ୟକ ସାମଗ୍ରୀ ବାହାର କରିବା ମଧ୍ୟ କଷ୍ଟକର ହୋଇପଡିଛି। ଏପଟେ ପୁଣି ବର୍ଷା ଲାଗି ରହିଥିବାରୁ ଭଙ୍ଗା ଘରରେ ରହିବାକୁ ପରିବାର ଲୋକେ ଭୟ କରୁଛନ୍ତି।
ତେବେ ରଶ୍ମିତା ପ୍ରଧାନଙ୍କ ପରିବାରର ଦୁର୍ଦ୍ଦଶା ଅଧିକ ଚିନ୍ତାଜନକ। ଗତବର୍ଷ ବର୍ଷା ଓ ପବନରେ ତାଙ୍କ ଘର ଭାଙ୍ଗିଥିଲେ ମଧ୍ୟ ଏଯାଏଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ସହାୟତା ମିଳିନଥିବା ତାଙ୍କ ଭିନ୍ନକ୍ଷମ ପୁଅ ଅରୁଣ ପ୍ରଧାନ ଅଭିଯୋଗ କରିଛନ୍ତି। ଏପରିକି ଘଟଣା ପରେ ତହସିଲଦାରଙ୍କ ଦେଖା ମିଳିନଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏଥର ପୁଣି ଘର ଭୁଶୁଡିବା ପରେ ପରିବାରର ଦୁର୍ଦ୍ଦଶା ଆହୁରି ବଢିଛି।ଏନେଇ ସରପଞ୍ଚ ଉତ୍କଳ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟତ୍ର ଥିବା କହିଥିଲେ। ଘଟଣା ବିଷୟରେ ଜାଣିବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇ ଘଟଣାସ୍ଥଳକୁ ଯିବାକୁ କୁହାଯାଇଥିବା ସେ କହିଛନ୍ତି। ଅରୁଣ ପ୍ରଧାନଙ୍କ ପରିବାର ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ। ତେବେ ଘର ନିର୍ମାଣରେ ବିଳମ୍ବ ହେବାରୁ ସେହି ତାଲିକାରୁ ବାଦ୍ ପଡିଥିଲେ।ଅନ୍ୟପକ୍ଷରେ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର କହିଛନ୍ତି ଯେ, ସୋଡକ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବାଧିକ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତ୍ୟୋଦୟ ଗୃହ ବଣ୍ଟନ କରାଯାଇଛି। ଯଦି କୌଣସି ଯୋଗ୍ୟ ପରିବାର କୌଣସି କାରଣରୁ ବାଦ୍ ପଡିଥାନ୍ତି, ତେବେ ସରକାରୀ ନିୟମ ଅନୁଯାୟୀ ଯାଞ୍ଚ କରାଯାଇ ଯୋଜନାରେ ସାମିଲ କରାଯିବ ବୋଲି ପ୍ରକାଶ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.