ପ୍ରଣବଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ନବୀନ ।

0 247

ଭୁବନେଶ୍ୱର,୦୫/୧୦(ପିପିଟି );ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ରେ ଦଳୀୟ କାର୍ଯ୍ୟକ୍ରମ ସମୟରେ ପ୍ରଣବଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ନେଇ ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କ୍ଷୋଭ ପ୍ରକାଶ କରିଛନ୍ତି।

ନବୀନ କହିଛନ୍ତି, ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ଜୀବନରୁ ମାରିଦେବା ଭଳି ଆକ୍ରମଣ ହେଉଛି। ଏପରିକି ପୁଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଚିନ୍ତାଜନକ। “ଅପରାଧୀଙ୍କୁ ଏ ସାହସ କିଏ ଦେଉଛି? ଓଡ଼ିଶାରେ ଶାସନ ଆଇନର ଚାଲିଛି ନା ଗୁଣ୍ଡାଙ୍କର?” ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହି ସରକାର ଅମଳରେ ଜନପ୍ରତିନିଧି ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ମଧ୍ୟ ବିପର୍ଯ୍ୟସ୍ତ। ଧର୍ମଶାଳା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ ବୋଲି ନବୀନ ଅଭିଯୋଗ କରିଛନ୍ତି।

“ସରକାର କ’ଣ ଚାହୁଁଛନ୍ତି, ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତ ହୋଇପଡ଼ୁ? କାହିଁକି ଏପରି ଅପରାଧିକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଉଛି ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନାହିଁ?” ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାବାସୀ ସବୁକିଛି ଦେଖୁଛନ୍ତି ଓ ଏହାର ହିସାବ ରଖୁଛନ୍ତି। ଏପରି ଅରାଜକତା ଓ ଶାସନର ଲୋକେ ଉଚିତ ଜବାବ ଦେବେ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.