ବୋଲଗଡ଼, ୦୯/୦୮(ପିପିଟି):ଲଗାଣ ବର୍ଷା ପରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅଞ୍ଚଳରେ ପ୍ରକୃତି ନିଜ ଉପହାର ଖୋଲି ଦେଇଛି। ଜଙ୍ଗଲ ଓ ବିଲ ହୁଡ଼ା ଓ ଉଇହୁଙ୍କା ବହୁ ପରିମାଣରେ ଦେଖାଦେଇଛି ସ୍ୱାଦିଷ୍ଟ ଓ ପୁଷ୍ଟିକର ନାଡ଼ ଛତୁ । ଏହା ଲୋକ ମାନଙ୍କ ପାଇଁ ବର୍ଷା ଦିନର ଏକ ବଡ ଆୟ ଉତ୍ସ ପାଲଟିଛି।ଧଳା ଗୋଲ ଟୋପି ଓ ମଜବୁତ ନାଡ଼ ଥିବା ଏଇ ଛତୁର ସ୍ୱାଦ ଏବଂ ପୁଷ୍ଟିଗୁଣ ଯୋଗୁଁ ଏହାର ଚାହିଦା ଦିନକୁ ଦିନ ବଢୁଛି। ପ୍ରୋଟିନ୍, ଆଇରନ୍ ଓ ଭିଟାମିନ୍ ଭରପୁର ରହିଥାଏ। ପାଟବନ୍ଧ ଜଙ୍ଗଲ, ବିଲହୁଡା ଓ ଉଇହୁଙ୍କା ମାନଙ୍କରୁ ଗାଁର ଆଦିବାସୀ ମହିଳା ଓ ଯୁବକମାନେ ସକାଳୁ ସକାଳୁ ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରୁଛନ୍ତି। ଦିନକୁ ୧ ରୁ ୨ କିଲୋ ଛତୁ ସହଜରେ ମିଳିଯାଉଛି। ସ୍ଥାନୀୟ ବଜାରରେ ଏହା କିଲୋ ପ୍ରତି ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗ୍ରାମରେ ୨୦୦ଟଙ୍କାରେ ବିକ୍ରୟ ହେଉଛି। ସ୍ଥାନୀୟ ଡାକ୍ତରଙ୍କ ମତରେ ନାଡ଼ ଛତୁ ଶରୀର ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ କହିଥିବା ବେଳେ ବନ ବିଭାଗ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ କେବଳ ଅଭିଜ୍ଞ ଲୋକଙ୍କ ସାହାଯ୍ୟରେ ଛତୁ ଚିହ୍ନଟ କରି ତୋଳନ୍ତୁ। ବିଷାକ୍ତ ଛତୁରୁ ଦୂରେଇ ରୁହନ୍ତୁ। ବର୍ଷା ଜାରି ରହିଲେ ଆଉ ପ୍ରାୟ ୧୫ଦିନ ପର୍ଯ୍ୟନ୍ତ ଏଇ ନାଡ଼ଛତୁ ମିଳିବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।