ପୋଲସରା,୨୭/୦୫ (ପିପିଟି) :ପୋଲସରା ପଞ୍ଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ବୈଠକଟିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁଭୂଷଣ ମହାପାତ୍ର ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ନିକଟରେ ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ସା°ସଦ ବ୍ଲକ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ,୩୮ ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ ଓ ୩୯ ନଂ ଜିଲ୍ଲା ପରିଷଦ ସଭ୍ୟା ଝୁନୁ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଡ଼ିଓ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ଗତ ବୈଠକର ବିବରଣୀ ପାଠନ ଏବଂ ଦୃଢୀକରଣ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା (୨୦୨୬-୨୭) ଆର୍ଥିକ ବର୍ଷ ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧୀୟ ଆଲୋଚନା, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଓ ଅନ୍ୟାନ୍ୟ ଉନ୍ନୟନ ବିଷୟ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ଅଂଶୁଘାତ ନିରାକରଣ, ବିଦ୍ୟୁତ ବିଭାଗ କାର୍ଯ୍ୟକାରିତା ସହିତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପରେ ବିଧାୟକ ତଥା ମନ୍ତ୍ରୀ ମହୋଦୟ ଉକ୍ତ ସମସ୍ତ ବିଷୟ ପଙ୍ଖାନୁପୁଙ୍ଖ ଭାବେ ବୁଝିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେଇ ଲୋକଙ୍କ ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ବିଡ଼ିଓ ଏବଂ ଉପସ୍ଥିତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଶେଷରେ ବିଡ଼ିଓ ମହୋଦୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା