ପୋଲସରାରେ ଦ୍ଵିତୀୟ ପର୍ଯ୍ୟାୟ ପୋଷଣ ପ୍ରଶିକ୍ଷଣ ଶିବିର ସମାପନ।

0 171

ପୋଲସରା,୦୫/୦୬(ପିପିଟି):ପୋଲସରାରେ ଦ୍ଵିତୀୟ ପର୍ଯ୍ୟାୟ ପୋଷଣ ପ୍ରଶିକ୍ଷଣ ଶିବିର ସଫଳତା ପୂର୍ବକ ଆୟୋଜିତ ହୋଇଯାଇଛି । ପୋଲସରା ବ୍ଳକ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ତ୍ରିଦିବସୀୟ କାର୍ଯ୍ୟକ୍ରମଟି ସିଡ଼ିପିଓ ତିଳୋତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା । ଏଥିରେ ମୋଟ ୭ ଗୋଟି ସେକ୍ଟରରୁ ୧୦୦ ଜଣ ଅଙ୍ଗନବାଡି କର୍ମୀମାନେ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ, ପୋଲସରା ବ୍ଳକର ୨୬ ଗୋଟି ଗ୍ରାମ ପଞ୍ଚାୟତ ସମେତ ପୌରପରିଷଦର ମୋଟ ୧୯ ଗୋଟି ୱାର୍ଡକୁ ମିଶାଇ ସର୍ବମୋଟ ୨୧୪ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ପୂର୍ବରୁ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଏହି ତାଲିମ ଶିବିରରେ ୧୧୪ ଜଣ ଅଙ୍ଗନବାଡି କର୍ମୀମାନେ ଯୋଗଦେଇସାରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ୬ ବର୍ଷରୁ କମ୍ ଶିଶୁମାନଙ୍କୁ ଆବଶ୍ୟକତା ଅନୁପାତରେ ସ୍ୱାସ୍ଥ୍ୟ ବର୍ଦ୍ଧକ ବିଭିନ୍ନ ପ୍ରକାର ପୌଷ୍ଟିକ ଖାଦ୍ୟ ସହିତ ‘ପୋଷଣ ଭି, ପଢାଇ ଭି’ ଅଭିଯାନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଅବସରରେ ସିଡ଼ିପିଓ ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ତାଲିମ ଗ୍ରହଣ କରିସାରିବା ପରେ ସରକାରଙ୍କ ଏହି ଅତି ମହତ୍ବାକା°କ୍ଷି ଯୋଜନା କିଭଳି ଭାବେ ସଫଳ ହେବେ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦେଇ ନିଷ୍ଠାର ସହିତ କର୍ତ୍ତବ୍ୟବୋଧ ପରାୟଣ ହୋଇ ନିଜ ନିଜର କ୍ଷେତ୍ରରେ କାମ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ନିଜ ହାତରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ, ଖେଳନା ଏବଂ ଶିକ୍ଷଣୀୟ ଉପକରଣ ପ୍ରଦର୍ଶନ କରିଥିଲେ । ଅଞ୍ଚଳ ପରିଦର୍ଶିକା ସୁରଭି କୁସୁମ ଦାସ, ସବିତା ଶବର, ଜୟନ୍ତୀ ସାବତ ଓ ମୁକ୍ତାଦେବୀ ପ୍ରମୁଖ ମିଳିତଭାବେ ପରିଚାଳନା ଏବଂ ପ୍ରଶିକ୍ଷଣ ଦେଇଥିବା ବେଳେ ପୋଷଣ ବ୍ଳକ ସଂଯୋଜକ ଅବିନାଶ ଚୌଧୁରୀ ବ୍ଲକ୍ ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତିର ନିଳାଞ୍ଚଳ ସାହୁଙ୍କ ସମେତ ସଭାନେତ୍ରୀ ଜ୍ୟୋସ୍ନାରାଣୀ ମିଶ୍ର ଓ ସମ୍ପାଦିକା ରାଜଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସିଡ଼ିପିଓ ମହୋଦୟା ଏହି ଯୋଜନାର ସଫଳ ରୂପାୟନର ଆଶା ପୋଷଣ କରି ଶିବିରରେ ଯୋଗଦେଇଥିବା ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ଅନ୍ୟ ସହଯୋଗୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ୍-ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.