ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକବ୍ୟକ୍ତ।

0 64

ଭୁବନେଶ୍ୱର,୦୪/୧୧(ପିପିଟି): ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତରେ ଶୋକର ଛାୟା। ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ନଭେମ୍ବର ୪ ତାରିଖରେ ଭବାନୀପାଟଣାସ୍ଥିତ ନିଜ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ କଳାହାଣ୍ଡି ସମେତ ସମଗ୍ର ରାଜ୍ୟରେ ଶୋକ ପ୍ରକାଶ ପାଇଛି। ୧୨ ଏପ୍ରିଲ ୧୯୩୮ରେ ଜନ୍ମଗ୍ରହଣ କରିଥିବା ରାସବିହାରୀ ବେହେରା ଓଡ଼ିଶା ରାଜନୀତିରେ ଜଣେ ଅଭିଜ୍ଞ ଓ ପ୍ରଭାବଶାଳୀ ଜନପ୍ରତିନିଧି ଭାବେ ପରିଚିତ ଥିଲେ। ସେ ୧୯୭୭ ଓ ୧୯୮୫ ମସିହାରେ କୋକସରା ବିଧାନସଭା ଆସନରୁ ଦୁଇଥର ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। ନିଜ ରାଜନୈତିକ ଜୀବନରେ ସେ କୃଷି, ସମବାୟ ଓ ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ୧୯୮୦ ମସିହାରେ କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବେ ମଧ୍ୟ ଜନସେବା କରିଥିଲେ। ରାଜନୀତି ସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଗଭୀର ରୁଚି ରହିଥିଲା। ଜଣେ ଲେଖକ ଭାବେ ସେ ସ୍ୱତନ୍ତ୍ର ପରିଚୟ ହାସଲ କରିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଜଣେ ଦକ୍ଷ ସଂଗଠକ, ଅଭିଜ୍ଞ ରାଜନେତା ଓ ଜନପ୍ରିୟ ନେତା ଭାବେ ତାଙ୍କର ସାମାଜିକ ଓ ଜନସେବାମୂଳକ ଅବଦାନ ସ୍ମରଣୀୟ ହୋଇ ରହିବ।

ରାସବିହାରୀ ବେହେରାଙ୍କ ବିୟୋଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ଦେହାନ୍ତ ଖବର ଶୁଣି ସେ ମର୍ମାହତ ବୋଲି ନବୀନ କହିଛନ୍ତି। ଦୀର୍ଘବର୍ଷ ଧରି ଜନପ୍ରତିନିଧି ଭାବେ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ରାସବିହାରୀ ବେହେରାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ନବୀନ।

Leave A Reply

Your email address will not be published.