ପାର୍ବଣ ପୂର୍ବରୁ ଭଞ୍ଜନଗର ପୋଲିସର ସଫଳତା : ୭ଡକାୟତ ଗିରଫ, ବନ୍ଧୁକ ଓ ଖଣ୍ଡା ଜବତ ।

0 32

ଭଞ୍ଜନଗର, ୨୧/୦୯(ପିପିଟି):ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଗଞ୍ଜାମ ଏସପି ହରିଶ ବିସିଙ୍କ ନିର୍ଦ୍ଦେଶକ୍ରମେ ଅପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ କଡା ନଜର ରଖିଛି।ଏକ ୭ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ। ରବିବାର ଭୋର ପ୍ରାୟ ସାଢେ ୨ଟା ସମୟରେ ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିଲେ।ଏହି ସମୟରେ ଭଞ୍ଜନଗର ଠାରୁ ଗାଲେରୀ ରାସ୍ତାର ଭେରେଡା ବସ୍ ଷ୍ଟପ୍ ନିକଟରେ ପ୍ରାୟ ୮ ଜଣ ଅପରାଧୀ ଏକାଠି ହୋଇ ପିସ୍ତଲ ଓ ଖଣ୍ଡା ଭଳି ମାରାତ୍ମକ ଅସ୍ତ୍ରଶସ୍ତ୍ର ଧରି ରାଜ୍ୟ ରାଜପଥ ଦେଇ ଯାଉଥିବା ପର୍ଯ୍ୟଟକ ଓ ପରିବା ବିକାଳିଙ୍କ ଠାରୁ ଲୁଟ୍ କରିବା ପାଇଁ ଯୋଜନା କରୁଥିବା ବିଷୟ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ।ତୁରନ୍ତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୬ଜଣ ଅଭିଯୁକ୍ତଙ୍କୁ ସେଠାରୁ କାବୁ କରିଥିବା ବେଳେ ପରେ ଆଉ ଜଣକୁ ଧରିବାରେ ସକ୍ଷମ ହୋଇଛି।ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଅଞ୍ଚଳର ଆଜାଦ ନାୟକ, ସୁଶୀଲ କୁମାର ମିଶ୍ର, ବିଭୁ ଜେନା, ମନୋଜ ପାତ୍ର, ରାକେଶ ବିଷୋୟୀ,ସଂକେତନ ପଟ୍ଟନାୟକ ଓ ବେଲଗୁଣ୍ଠା ଥାନା ପଥରାପଲି ଗ୍ରାମର ଶୁଭମ ସେଠୀ ବୋଲି ଜଣାପଡିଛି।ସେମାନଙ୍କ ଠାରୁ ଏକ ସିଙ୍ଗଲ ସଟ ଦେଶୀ ପିସ୍ତଲ,ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଖଣ୍ଡା, ୩ଟି ମୋଟର ସାଇକେଲ, ମୋବାଇଲ ଫୋନ୍ ଓ କିଛି ଟଙ୍କା ମଧ୍ୟ ଜବତ କରାଯାଇଛି।ଏସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ଆର୍ମସ ଆକ୍ଟ କେଶ ନଂ ୧୦୦୦/୨୬ରେ ଏକ ମାମଲା ରୁଜୁ ହୋଇଛି।ସୋମବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଉପଖଣ୍ଡ ଆରାକ୍ଷୀ ଅଧିକ୍ଷକ ଡ଼. ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଥାନା ଆଇଆଇସି ଜୀବନାନନ୍ଦ ଜେନା ଓ ଏସଆଇ ସମୀର କୁମାର ସେଠୀ ଉପସ୍ଥିତ ଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.