ବୋଲଗଡ଼,୩୧/୦୫(ପିପିଟି):ପାଣି ପାଉଚ ହେଉ କିମ୍ବା ପାଣି ବଟଲ ଖରାଦିନେ ଏହାର ଚାହିଦା ଥିଲେ ମଧ୍ୟ ବର୍ଷ ସାରା ପାଣି ପାଉଚ ଓ ପାଣି ବୋତଲ ର ଲୋକ ମାନଙ୍କ ପାଇଁ ଅତ୍ୟାବଶ୍ୟକ ହୋଇ ପଡିଛି। ବୋଲଗଡ଼ ବ୍ଲକ ରେ ଥିବା ବିଭିନ୍ନ ବଜାରରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ପାଣି ପାଉଚ୍ ଓ ପାଣି ବୋତଲର ବେଶ୍ ଚାହିଦା ରହିଛି। ଏହି ଥଣ୍ଡା ପାଣି ଉଚିତ୍ ଦାମ୍ ରେ ଓ ସୁବିଧାରେ ଉପଲବ୍ଧ ହେଉଥିବାରୁ ବର୍ଷସାରା ସମସ୍ତ ବର୍ଗର ଲୋକ ମାନଙ୍କର ବେଶ ଆଦୃତ ହୋଇପାରିଛି। ଦୁଇଶହ ମିଲିଗ୍ରାମରୁ ଆରମ୍ଭ କରି ୨ଲିଟର, ୫ଲିଟର, ୨୦ଲିଟର ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀ ଦ୍ଵାରା ପ୍ରସ୍ତୁତ ପ୍ୟାକେଜ ପିଇବା ପାଣିର ଚାହିଦା ବୃଦ୍ଧି ପାଇଛି। ବିଭିନ୍ନ ଉତ୍ସବ, ବିବାହ, ବ୍ରତ, ସାମାଜିକ କାର୍ଯ୍ୟକ୍ରମରେ ଏଭଳି ପାଣି ପ୍ୟାକେଜ୍ ବ୍ୟବହାର ବହୁଳ ଭାବରେ ବ୍ୟବହାର ହେଉଛି। କିନ୍ତୁ ଏଠି ଦେଖିବାର କଥା ହେଉଛି ବଜାରରେ ହେଉ କିମ୍ବା ଗ୍ରାମାଞ୍ଚଳରେ ମିଳୁଥିବା ପ୍ୟାକେଜ୍ ପିଇବା ପାଣି ବୋତଲ ଉପଯୁକ୍ତ ମାନର କି ନୁହେଁ। ମଣିଷ ଶରୀର ପକ୍ଷେ କେତେ ସୁରକ୍ଷିତ ତାକୁ ନେଇ କେହି ସଚେତନ ନଥିବା ମନେ ହେଉଛି। ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନ କର୍ତ୍ତୃପକ୍ଷ (ଫୁଡସେପ୍ଟି, ଆଣ୍ଡ୍ ଷ୍ଟାଣ୍ଡାର୍ଡ଼ ଅଥରିଟି ଅଫ୍ ଇଣ୍ଡିଆ) ଉଚ୍ଚ ବିପଦପୂର୍ଣ୍ଣ ଖାଦ୍ୟ ବିଭାଗ ବା ‘ହାଇ ରିସ୍କ ଫୁଡ୍ କାଟାଗୋରି’ରେ ପ୍ୟାକେଜ୍ ପିଇବା ପାଣି ଓ ମିନେରାଲ ୱାଟର ବର୍ଗୀକୃତ କରିଥିବା ଘୋଷଣା କରି ସାରିଛନ୍ତି। ଏହି ଉତ୍ପାଦଗୁଡିକୁ ବାଧ୍ୟ ତା ମୁଳକ ଯାଞ୍ଚ ଓ ଥାର୍ଡ ପାର୍ଟି ଅଡିଟ୍ ର ସାମନା କରିବାକୁ ପଡ଼ିବ। ଏହା ଜଣା ପଡିବା ପରେ ସ୍ଥାନୀୟ ଉତ୍ପାଦନକାରୀ ସଂସ୍ଥାମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି,କିନ୍ତୁ ପ୍ରଶାସନିକ ସ୍ତରରେ କୌଣସି କଟକଣା ନଥିବାରୁ ଦିନ ଦ୍ବିପ୍ରହରରେ ପାଣି ପାଉଚ ଅବା ପାଣି ବୋତଲ ବଜାରରେ ବିକ୍ରି ହେଉଛି। ପ୍ୟାକେଜ ପାଣି ଉତ୍ପାଦନ କମ୍ପାନି ଆଇ ଏସ ଆଇ ସହ ମାର୍କ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନ କର୍ତ୍ତୃପକ୍ଷ(ଫୁଡ୍ ସେପ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ ଅଥରିଟି ଅଫ୍ ଇଣ୍ଡିଆ)ର ଅନୁମତି ନେବା ବାଧ୍ୟତାମୂଳକ ପାଣି ପାଉଚ୍ କେଉଁ ତାରିଖରୁ ପ୍ୟାକିଂ ଆରମ୍ଭ ହୋଇ କେତେଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ତାହା ଗ୍ରାହକ ଜାଣିବା କଷ୍ଟକର ହୋଇପଡିଛି। ବଜାରରେ ଉପଲବ୍ଧ ପାଉଚ୍ ଓ ପ୍ୟାକେଜ ପିଇବା ପାଣି ନିୟମିତ ବ୍ୟବଧାନରେ ଯାଞ୍ଚ ପାଇଁ ଜିଲ୍ଲା ସ୍ତରରେ ଖାଦ୍ୟ ସୁରକ୍ଷା ଅଧିକାରୀ ନିଯୁକ୍ତି କରାଯାଇଛି। କିନ୍ତୁ ବିଭାଗ ଅଧିକାରୀ ମାନେ କୋମାରେ ରହିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ସୁଯୋଗ ନେଇ ଦୋକାନୀ ଏବଂ ଉତ୍ପାଦନକାରୀ କମ୍ପାନୀ ମନଇଚ୍ଛା ପାଣି ଭର୍ତ୍ତିକରି ବଜାରକୁ ଛାଡୁଥିବା ଦେଖାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷ କାର୍ଯାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।