ନେଟଓ୍ବାର୍କ ନଥିବା ଯୋଗୁଁ ହନ୍ତସନ୍ତ ହିତାଧିକାରୀନ ।

0 0

ବାଲିଆପାଳ ୨୬/୦୯:  ଆଜିର ଦିନରେ ମଣିଷର ଦୈନନ୍ଦିନ ଜୀବନରେ ମୋବାଇଲ ଏକ ଅତ୍ୟାବଶ୍ୟକ ସେବା ଭାବରେ କାର୍ଯ୍ୟ କରୁଛି। ବିନା ଇଣ୍ଟରନେଟରେ ଚତୁର୍ଦିଗ ଅନ୍ଧକାର ହୋଇ ଯାଉଛି। ମାତ୍ର ମୋବାଇଲ କମ୍ପାନୀର ଖାମଖିଆଲ ମନୋଭାବ ପାଇଁ ଦୀର୍ଘ ଦୁଇ ମାସ ଧରି ମୋବାଇଲ ଟାଓ୍ବାର କାର୍ଯ୍ୟ କରୁନାହିଁ। ସମ୍ପୃକ୍ତ ମୋବାଇଲ କମ୍ପାନୀର ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଫୋନ ଯୋଗେ ଅଭିଯୋଗ କଲେ ଅଧିକାରୀ ଜଣକ ହିତାଧିକାରୀ ମାନଙ୍କୁ ନାଲି ଆଖି ଦେଖାଉଛନ୍ତି। ଏଭଳି ଏକ ଘଟଣା ସମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରୁ। ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଅସ୍ତି ପଞ୍ଚାୟତ ପାରୁଳିଆ ହାଟ ନିକଟରେ ଥିବା ଏୟାରଟେଲ କମ୍ପାନୀର ଏକ ମୋବାଇଲ ଟାଓ୍ବାର ରହିଛି। ଏହି ମୋବାଇଲ ଟାଓ୍ବାର ଉପରେ ୫ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି। ମାତ୍ର ଆଜକୁ ଦୀର୍ଘ ଦୁଇ ମାସ ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଟାଓ୍ବାରରେ ଲାଗିଥିବା ଜେନେରେଟରଟିକୁ ଖୋଲି ନେଇ ଯାଇଛନ୍ତି। ଯାହାଫଳରେ ବିଦ୍ୟୁତ କାଟ ହେଲେ ସମ୍ପୂର୍ଣ୍ଣ ଟାଓ୍ବାରଟି ଅଚଳ ହୋଇଯାଉଛି। ଏହି ଅଞ୍ଚଳ ବନ୍ଯା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କୌଣସି ଅତି ଜରୁରୀକାଳୀନ ପରିସ୍ଥିତି ସମୟରେ ଅନ୍ୟ ମାନଙ୍କ ସହିତ ଯୋଗାଯୋଗ କିମ୍ବା ସୂଚନା ଦେବା ସମ୍ଭବ ହୋଇପାରୁନାହିଁ। ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ହିତାଧିକାରୀ ମାନେ କଷ୍ଟମର କେୟାର ସହିତ ଯୋଗାଯୋଗ କଲେ ସେଠାରୁ ଉତ୍ତର ମିଳୁଛି ଯାହା ଯାଗାରେ ଟାଓ୍ବାର ବସିଛି ତାଙ୍କୁ କୁହନ୍ତୁ ସେ ସମାଧାନ କରିବେ କହି ଫୋନ କାଟି ଦେଉଛନ୍ତି।ଅନ୍ଯ ପକ୍ଷରେ ଏୟାରଟେଲ କମ୍ପାନୀର ବାଲେଶ୍ୱର ଜିଲ୍ଲା ଟେକ୍ନିକାଲ ଟିମର ମୁଖ୍ୟ ଦେବାଶିଷ ବାବୁଙ୍କୁ ଫୋନ ଯୋଗେ ସମସ୍ୟା ସମ୍ପର୍କରେ କହିବାରୁ ସେ ଟାଟା ପାଓ୍ବାରକୁ କୁହନ୍ତୁ ବୋଲି କହି ହିତାଧିକାରୀଙ୍କୁ ନାଲି ଆଖି ଦେଖାଉଛନ୍ତି। ତେବେ ବର୍ତ୍ତମାନ ମହଙ୍ଗା ଯୁଗରେ ମୋବାଇଲ ରିଚାର୍ଜ ମୂଲ୍ୟ ବଢ଼ି ଚାଲିଥିବା ବେଳେ ବର୍ଷକର ରିଚାର୍ଜ ପାଇଁ ୩ ହଜାର ୫ ଶହରୁ ୪ ହଜାର ଟଙ୍କା ଦେବାକୁ ପଡ଼ୁଛି। ସେହିପରି ତିନି ମାସର ରିଚାର୍ଜ ପାଇଁ ୧ ହାଜର ଟଙ୍କା ଦେବାକୁ ପଡ଼ୁଛି। କମ୍ପାନୀ ରିଚାର୍ଜ ପାଇଁ ଟଙ୍କା ନେଉଥିବା ବେଳେ ହିତାଧିକାରୀଙ୍କୁ ଟାଟା ପାଓ୍ବାରକୁ ଅଭିଯୋଗ କରିବାକୁ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ। ତେବେ ଏନେଇ ଆଜି ସ୍ଥାନୀୟ ଜନସାଧାରଣ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଜରିଆରେ ସମ୍ପୃକ୍ତ ମୋବାଇଲ କମ୍ପାନୀ ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ୭ ଦିନର ସମୟ ଦେଇଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଉପୁଜିଥିବା ସମସ୍ୟା ସମାଧାନ ଦିଗରେ ସମ୍ପୃକ୍ତ ମୋବାଇଲ କମ୍ପାନୀ ଯତ୍ନବାନ ନହେଲେ କମ୍ପାନୀ ବିରୁଦ୍ଧରେ ଆଇନଗତ ଲଢେଇ ହେବ ବୋଲି ସ୍ଥାନୀୟ ହିତାଧିକାରୀ ‌ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.