ଧର୍ମଶାଳାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ।

0 199

ଧର୍ମଶାଳା୧୪/୧୦(ପିପିଟି ):ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଧର୍ମଶାଳା ନିର୍ବାଚନମଣ୍ଡଳୀର ମିର୍ଜାପୁର ଓ ପାଟପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ପଦଯାତ୍ରାରେ ବିଜେଡିର ବହୁ ସଂଖ୍ୟକ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ କର୍ମୀମାନେ ଲୋକଙ୍କ ସହ ସିଧାସଳଖ ଯୋଡ଼ିହେବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।

ବୁଧବାର ସକାଳ ପ୍ରାୟ ୧୦ଟାରେ ଜାରକାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ଏକ ବାଇକ୍ ଶୋଭାଯାତ୍ରାରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରା ଜାରକା ବଜାର ଦେଇ ପାଟପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ପାଟପୁର ଓ ମିର୍ଜାପୁର ପଞ୍ଚାୟତର ବିଜେଡି କର୍ମୀଙ୍କ ସହ ଧର୍ମଶାଳା ନିର୍ବାଚନମଣ୍ଡଳୀର ବହୁ ଦଳୀୟ କର୍ମୀ ଏକାଠି ହୋଇଥିଲେ। ପରେ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ପ୍ରାୟ ଚାରି କିଲୋମିଟର ପଦଯାତ୍ରା କରି ବିଭିନ୍ନ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ ସ୍ଥାନୀୟ ଲୋକଙ୍କ ସୁବିଧା-ଅସୁବିଧା, ଦୈନନ୍ଦିନ ସମସ୍ୟା ଓ ଅଞ୍ଚଳର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

ପଦଯାତ୍ରା ପରେ ଆୟୋଜିତ ସଭାରେ ଧର୍ମଶାଳା ବ୍ଲକ୍ ବିଜେଡି ସଭାପତି ପ୍ରସନ୍ନ ରାଉତ ଅଧ୍ୟକ୍ଷତା କରିଥିଲେ। ସଭାରେ ଜୋନ୍‌-୧୧ର ସଂଯୋଜକ ସଞ୍ଜୟ ଧୀର, ଜୋନ୍‌-୧୨ର ପ୍ରହଲ୍ଲାଦ ପାତ୍ର, ଜୋନ୍‌-୧୪ର ବିଜୟ କୁମାର ରାଉତ, ଜୋନ୍‌-୧୫ର ବିକାଶ ବେହେରା, ରସୁଲପୁରର ନରେଶ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ପାଢ଼ୀ, ଉତ୍କଳମଣି ଦାସ, ଅମରେନ୍ଦ୍ର ରାୟ ଓ ଦୁଶାସନ ନାୟକଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।

ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାଙ୍କ ସହ ଦଳର ବହୁ ସମର୍ଥକ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ କର୍ମୀଙ୍କ ଉପସ୍ଥିତି ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସକ୍ରିୟ କରିବା ଏବଂ ଜନସାଧାରଣଙ୍କ ସହ ସମ୍ପର୍କ ସୁଦୃଢ଼ କରିବାରେ ସହାୟକ ହୋଇଥିବା ଦଳୀୟ ମହଲରେ କୁହାଯାଇଛି। ଶେଷରେ ସନ୍ତୋଷ କୁମାର ଜେନା ଉପସ୍ଥିତ ନେତା, କର୍ମୀ ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.