କଲ୍ୟାଣସିଂହପୁର, ୨୫/୦୯: ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଲୋକଙ୍କ ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍ସ କର୍ମଚାରୀ ଏବେ ନିଜେ ଅସୁରକ୍ଷିତ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ସରକାରୀ ବ୍ଲକ କୋଲନିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି।
ଦୀର୍ଘ ବର୍ଷ ଧରି ମରାମତି ଅଭାବରୁ ଏହି ସରକାରୀ ଗୃହଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳିବା ସହ ବାହାର ପାଣି ଘର ଭିତରକୁ ପ୍ରବେଶ କରୁଛି। କେବଳ ସେତିକି ନୁହେଁ, ସ୍ଥିତି ଏପରି ହୋଇଛି ଯେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଘର ଭିତରୁ ବିଭିନ୍ନ ସମୟରେ ବିଷାକ୍ତ ସାପ ସରୀସୃପ ମଧ୍ୟ ବାହାରୁଛି। ଫଳରେ କର୍ମଚାରୀମାନେ ପ୍ରତି ମୁହୂର୍ତ୍ତରେ ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି।ବର୍ତ୍ତମାନ କର୍ମଚାରୀ ମାନେ ସବୁବେଳେ କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି ଯେତେବେଳେ ଅବସର ରେ ଆଶ୍ରୟ ନେବି ବୋଲି ଭାବିବା ବେଳେ ଘରର ଅବସ୍ଥା ଦେଖି ନିରବ ରହୁଛନ୍ତି। ସେମାନେ ବ୍ୟବହାର ସାମଗ୍ରୀ, ପୋଷାକ, ଖାଦ୍ୟ ସାମଗ୍ରୀ ବର୍ଷା ପାଣି ପଡି ନଷ୍ଟ ହୋଇଯାଇଛି।
ଦିନରାତି ଲୋକଙ୍କ ସେବାରେ ନିୟୋଜିତ ଥିବା ଏହି କର୍ମଚାରୀମାନେ ନିଜ ମୌଳିକ ସୁରକ୍ଷା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ)ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କ୍ୱାର୍ଟର୍ସର ମରାମତି କରିବା କିମ୍ବା କର୍ମଚାରୀମାନଙ୍କ ପାଇଁ ଏକ ସୁରକ୍ଷିତ ବିକଳ୍ପ ବାସଗୃହ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।