ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ ।

0 1

ଭୁବନେଶ୍ୱର,୩୧/୦୫(ପିପିଟି ): ସ୍ଥାନୀୟ ନିୟୁ ଏଜି କଲୋନୀ ରେସିଡେଣ୍ଟ କମିଟି ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ଆୟୋଜିତ ପ୍ରଥମ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆଜି କଲୋନୀ ପଡିଆ ଠାରେ ଉଦଯାପିତ ହୋଇଯାଇଅଛି । ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଏବଂ ସୃଜନଶୀଳ ପ୍ରତିଭାକୁ ବିକଶିତ ଓ ପ୍ରୋତ୍ସାହିତ କରିବା ସହ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ନିଃଶୁଳ୍କ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ୮ ରୁ ୧୫ ବର୍ଷର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବ୍ୟାୟାମ, ଯୋଗାସନ ,ଜୁମ୍ବା ପ୍ରଶିକ୍ଷଣ ସହ ଫୁଟବଲ, ହକି, କ୍ରିକେଟ, ଭଲିବଲ, ଟେନିସ ଆଦି କ୍ରୀଡାର ନିୟମ ଓ ପ୍ରୟୋଗ ସହ ଅଭ୍ୟାସ କରିଥିଲେ । ଉଦଯାପନୀ ସମାରୋହରେ ଏଜି କାର୍ଯ୍ୟାଳୟର ବରିଷ୍ଠ ଉପ ମହାଲେଖାକାର (ଅଡିଟ ) ତଥା ମାହାଲ ନିର୍ଦେଶକ ଭରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୋମଳମତି ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ବ୍ୟୟାମ, ଯୋଗ ଓ କ୍ରୀଡାର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହିଭଳି ନିଃଶୁଳ୍କ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିବାରୁ ରେସିଡେଣ୍ଟ କମିଟର ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଟି- ସାର୍ଟ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ସମାପନୀ ସମାରୋହରେ ରେସିଡେଣ୍ଟ କମିଟିର ସଭାପତି ଅଭିଷେକ କୁମାର, ସମ୍ପାଦକ ଧୀରଜ ସୋନକାର, ଆନ୍ତର୍ଜାତୀୟ ଭଲିବଲ ଖେଳାଳି ସୁଦର୍ଶନ ପଟ୍ଟନାୟକ,ପୁଲିନ ବିହାରୀ ବେହୁରାଏ,କ୍ରୀଡା ପ୍ରଶିକ୍ଷକ ସୁଶାନ୍ତ ରଥ, ରାହୁଲ ଯାଦବ, ପୂର୍ବତନ ସାଧାରଣ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ଶେଷରେ କ୍ରୀଡା ପ୍ରଶିକ୍ଷକମାନଙ୍କୁ ରେସିଡେଣ୍ଟ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରକୁ କମିଟିର କାର୍ଯ୍ୟକାରୀ ସଦସ୍ୟ ସୁବ୍ରତ କୁମାର ସିଂହ ଓ ଚିତ୍ତ ରଞ୍ଜନ ବେହେରା ପରିଚାଳନା କରିଥିଲେ ।

Leave A Reply

Your email address will not be published.