ଗଭୀର ଅବପାତ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ;କଳିଙ୍ଗା ଘାଟିରେ ୨୩ରୁ ୨୪ ସକାଳ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ।

0 119

ଛତ୍ରପୁର,୨୧/୦୯(ପିପିଟି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ଆଭାସୀ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରସ୍ତୁତି ଓ ପରିସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।

ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ ତାରିଖରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ। କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ଯାତ୍ରୀ ଓ ଯାନବାହନ ଚାଳକମାନେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ପ୍ରାକ୍‌ ଆକଳନ ଅନୁଯାୟୀ ୨୩ ତାରିଖରେ ଗଞ୍ଜାମରେ ପ୍ରବଳ ବର୍ଷା ଏବଂ ୨୨ ଓ ୨୪ ତାରିଖରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଡଙ୍ଗା ଓ ବୋଟ ନନେବାକୁ ପରାମର୍ଶ ଦିଆଯାଇଥିବା ବେଳେ ତହସିଲଦାରମାନଙ୍କୁ ଏହାର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାର ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ଭଞ୍ଜନଗର ଏବଂ ଚିକିଟି-ପାତ୍ରପୁର ଅଞ୍ଚଳରେ ୨ଟି ସ୍ୱତନ୍ତ୍ର ଓଡ୍ରାଫ୍‌ ଦଳ ନିୟୋଜିତ ରହିବେ। ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତରଣ ଏବଂ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ସଜାଗ ରଖାଯାଇଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅପରେସନ୍‌ ସେଣ୍ଟର ସମେତ ସମସ୍ତ ତହସିଲ, ବ୍ଲକ୍‌ ଓ ସହରାଞ୍ଚଳରେ ୨୪×୭ ନିୟନ୍ତ୍ରଣ ବ୍ୟବସ୍ଥା ସକ୍ରିୟ ରହିଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍‌ ସେଣ୍ଟର ହେଲ୍ପଲାଇନ୍‌ ନମ୍ବର ୦୬୮୧୧-୨୬୩୯୭୮ରେ ଆବଶ୍ୟକ ସମୟରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି ।

ବଜ୍ରପାତ ସମୟରେ ଘର ଭିତରେ ରହିବା, ବିଦ୍ୟୁତ୍‌ ଉପକରଣ ଓ ତାରଠାରୁ ଦୂରେଇ ରହିବା ସହ ଗଛତଳେ, ଖୋଲା ପଡ଼ିଆ କିମ୍ବା ଜଳାଶୟ ନିକଟରେ ଆଶ୍ରୟ ନନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା,ଆଇ ଏ ଏସ ଶିକ୍ଷାନବିସ ଏସ ସରନ୍ୟା,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁନୀଲ ସାଇ ଦେବାଶିଷ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.