ଛତ୍ରପୁର,୦୯/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ସମ୍ମିଳନୀରେ ଗୋପାଳପୁର, ସୋନାପୁର, ଋଷିକୂଲ୍ୟା ମୁହାଣ, ଚିଲିକାର ରମ୍ଭା-ବରକୁଳ, ତାରାତାରିଣୀ ଓ ଭୈରବୀ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ସହ ସମୁଦ୍ରକୂଳରେ ଆବାସ, ହୋଟେଲ, ହୋମ୍ଷ୍ଟେ, ପ୍ରକୃତି ପର୍ଯ୍ୟଟନ ଓ ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରହିଥିବା ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂ କହିଥିଲେ ଯେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାର ପାହାଡ଼,ସମୁଦ୍ର,ଧାର୍ମିକ ପୀଠ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏହାକୁ ପର୍ଯ୍ୟଟନ ନିବେଶର ଏକ ଆକର୍ଷଣୀୟ କ୍ଷେତ୍ର ଭାବେ ଗଢ଼ି ତୋଳିଛି । ଏହି ସମ୍ଭାବନାର ସଦୁପଯୋଗ କରି ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସମୃଦ୍ଧ କରିବା ସହ ଦେଶବିଦେଶର ନିବେଶକମାନେ ଓଡ଼ିଶା ଓ ଗଞ୍ଜାମକୁ ନିବେଶର ପ୍ରମୁଖ ଗନ୍ତବ୍ୟ ଭାବେ ବିଚାର କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିବେଶକମାନଙ୍କୁ ଜିଲ୍ଲାରେ ପର୍ଯ୍ୟଟନ ପ୍ରକଳ୍ପ ସ୍ଥାପନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇ କହିଥିଲେ ଯେ ସରକାରୀ-ଘରୋଇ ସହଭାଗିତା (ପିପିପି) ମଡେଲରେ ଜମି ଚିହ୍ନଟ, ଏକକ ଅନୁମୋଦନ ବ୍ୟବସ୍ଥା, ନୀତିଗତ ସହାୟତା ଓ ଆବଶ୍ୟକ ଭିତ୍ତିଭୂମି ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଯୋଗାଇଦେଇ ଆସିଛି ଆଗକୁ ମଧ୍ୟ ଯୋଗାଇଦେବ। ନିବେଶକମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ଦ୍ୱାର ସର୍ବଦା ଉନ୍ମୁକ୍ତ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ବିନୋଦ ଜେନା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ହୋଟେଲ ମାଲିକ,ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଉଦ୍ୟୋଗୀ, ଯୁବ ଉଦ୍ୟୋଗୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।
ସମ୍ମିଳନୀରେ ନିବେଶକମାନଙ୍କ ସହ ପର୍ଯ୍ୟଟନ ପ୍ରକଳ୍ପ ସ୍ଥାପନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ ହୋଇଥିଲା । ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜନକ କୁମାର ତରେଇ ଧନ୍ୟବାଦ ଅର୍ପଣ କରିଥିଲେ ।