କୋଦଳାରେ ମାଇକ୍ରୋ ଫାଇନାନ୍ସ ଜମାକାରୀଙ୍କ ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ।

0 177

କୋଦଳା ୦୭/୦୮(ପିପିଟି):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚିଟଫଣ୍ଡ ଜମାକାରୀ। ଜମାଟଙ୍କା ଫେରସ୍ତ ଦାବିରେ ଗଞ୍ଜାମ ଜିଲ୍ଲା କୋଦଳା ଠାରେ ମାଇକ୍ରୋ ଫାଇନାନ୍ସ ଜମାକାରୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଦଣ୍ଡିଶ୍ୱର ମନ୍ଦିରରୁ ଏକ ଶୋଭାଯାତ୍ରା ମାଧ୍ୟମରେ ଶତାଧିକ କ୍ଷତିଗ୍ରସ୍ତ ବାହାରି କୋଦଳା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜମାକାରୀଙ୍କ ଅର୍ଥ ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇ ରାଜ୍ଯରେ କାୟା ବିସ୍ତାର କରିଥିଲା ମାଇକ୍ରୋ ଫାଇନାନ୍ସ କମ୍ପାନୀ। ଗରିବ ଖଟିଖିଆ ମଜୁରିଆ ଲୋକେ କିଛି ଅଧିକ ସୁଧ ପାଇବା ଆଶାରେ ଏଥିରେ ନିଜର କଷ୍ଟ ଅର୍ଜିତ ଧନ ଜମା କରିଥିଲେ। ତେବେ ଏଯାଏଁ ଜମା ଅର୍ଥ ଫେରିପାଇବା ବ୍ୟବସ୍ଥା ସରକାର କରୁ ନାହାଁନ୍ତି। ନିର୍ବାଚନ ପୂର୍ବରୁ ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା। ଏବେ ସରକାର ଆସିବାର ୨ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଆମ କଥା ବୁଝୁ ନଥିବା ଅଭିଯୋଗ କରିଛନ୍ତି ଜମାକାରୀ। ସରକାର ସବୁ କ୍ଷତିଗ୍ରସ୍ତ ଜମକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିବା ପାଇଁ ଦାବି କରିଛନ୍ତି ମଞ୍ଚର ରାଜ୍ୟ ଆବାହକ ଉମେଶ ଚନ୍ଦ୍ର ନାୟକ। ଦୀର୍ଘ ୧୨ ବର୍ଷ ପରେ ବି ଏଯାବତ୍ ମାଇକ୍ରୋ ଫାଇନାନ୍ସ ଜମାକାରୀ କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ ହୋଇ ପାରୁନି। ଏଣୁ ତହସିଲ କାର୍ଯ୍ଯାଳୟ ଜରିଆରେ କ୍ଷତିଗ୍ରସ୍ତ ଜମକାରୀଙ୍କୁ ଚିହ୍ନଟ କରିବା ପାଇଁ ସରକାର ବ୍ଯବସ୍ଥା କରାଇବା, ଏହି ଠକେଇ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ଜମାକାରୀ। ଏଥିରେ ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଜମାକାରୀ ମାନେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.