କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ ।

0 212

ଛତ୍ରପୁର,୨୧/୦୫(ପିପିଟି): କିଶୋରୀମାନେ ପରିବାରର ବୋଝ ନୁହନ୍ତି । ସେମାନେ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ । ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତାସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ନିରନ୍ତର ସାମୁହିକ ପ୍ରୟାସ ଯୋଗୁଁ ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲ୍ଲା ବିଶେଷ ସଫଳତା ହାସଲ କରିପାରିଛି । ଏବେ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ପରାହତ କରିବାର ସମୟ ଆସିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିବା ସହିତ କିଶୋରୀ ଓ କିଶୋର ଉଭୟଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଆଦି ସମସ୍ତ କ୍ଷେତ୍ରରେ ସମାନ ଦୃଷ୍ଟିରେ ଦେଖିବା ପାଇଁ ଜିଲ୍ଲାବାସୀଙ୍କୁ ସେ ଅନୁରୋଧ କରିଛନ୍ତି ।

ବୈଷୟିକ ଜ୍ଞାନକୌଶଳର ସହାୟତା ନେଇ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ୩୬୦ ଆପକୁ ଆରମ୍ଭ କରାଯାଇଛି । ଏବେ ଏହି ଆପରେ ଏକ ଜରୁରୀକାଳୀନ ବଟମ/ବ୍ୟବସ୍ଥା ରହିବ ତାକୁ ବ୍ୟବହାର କରି ଲୋକମାନେ ନିଜ ପରିଚୟ ଗୁପ୍ତ ରଖି ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଇପାରିବେ। ଏହି ସୁବିଧାକୁ ଆଗାମୀ ୧୫ଦିନ ମଧ୍ୟରେ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ସଚେତନତା ବୃଦ୍ଧିକରି ସମାଜକୁ ଅଧିକ ସଶକ୍ତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ପରିଷଦର ଜଉଗଡ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି ।

ନିର୍ଭୟ କଢି,ଅଦ୍ବିକା ଭଳି ଯୋଜନା ଜିଲ୍ଲାରେ ବିଶେଷ ସଫଳତା ହାସଲ କରିପାରିଛି । କିଶୋରୀ ସଶକ୍ତିକରଣ ତା ସହିତ ବାଲ୍ୟ ବିବାହର ଜିଲ୍ଲାରୁ ସମ୍ପୂର୍ଣ ଶେଷ କରିବା ପାଇଁ ଜନସଚେତନତାକୁ ବିଶେଷକରି ଗ୍ରାମାଞ୍ଚଳରେ ଆହୁରି ଅଧିକ ପରିବ୍ୟାପ୍ତ କରିବାକୁ ପଡିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ କହିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଜୀବିକା ଅନ୍ୱେଷଣରେ ପିତାମାତାଙ୍କ ସହିତ ଆସୁଥିବା ଶିଶୁମାନେ ମଧ୍ୟ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର ପାଠ ପଢି ପାରିବେ। ଏ କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାଶ ଚନ୍ଦ୍ର ବୁଗୁଡ଼ା,ୟୁନିସେଫର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରାଜଶ୍ରୀ ଦାଶ, ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସୋରେନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ମାନଙ୍କ ସାମ୍ବିଧାନିକ ଅଧିକାର,ସରକାରୀ ଯୋଜନାର ସୁବିଧା ସୁଯୋଗ , ୧୦୯୮/୧୮୧ ଟୋଲ ଫ୍ରି ନମ୍ବରର ବ୍ୟବହାର, ସାଇବର ସୁରକ୍ଷା ଆଦି ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ ।

ଏହି ୨୦୨୬-୨୦୨୯ କାର୍ଯ୍ୟ ଖସଡ଼ାରେ ନିର୍ଭୟ କଢି, ଅଦ୍ବିକା, ମୋ ଗେଲ୍ହା ଝିଅ, ବିଦ୍ୟାଳୟକୁ ହଁ – ବାଲ୍ୟ ବିବାହକୁ ନା, ଆର୍ଥିକ ସହାୟତାର ପ୍ରାବଧାନ,ବାଲ୍ୟ ବିବାହ ମୁକ୍ତ ଗ୍ରାମ, ଆଗାମୀ ଦିନର ପଦକ୍ଷେପ,ଆଗାମୀ ପ୍ରଶିକ୍ଷଣ,ସରକାରୀ – ବେସରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ଆଦି ବିଷୟରେ ଉଲ୍ଲେଖ କରାଯାଇଛି ।

କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସିଡିପିଓ, ଏନଜିଓର କର୍ମକର୍ତ୍ତା, ଶିଶୁ ମଙ୍ଗଳ ସମିତି, ଡି.ଏଚ୍.ଇ.ଡବ୍ଲ୍ୟୁ. ର କର୍ମକର୍ତ୍ତା ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ । ୟୁନିସେଫର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.