ଏମ୍କେସିଜିରେ ଆଖି ବୁଜିଲା ଯୋଡ଼ାମୁଣ୍ଡ ଶିଶୁ, ୭ ଦିନର ସଂଘର୍ଷ ପରେ ମୃତ୍ୟୁ ।

0 0

ବ୍ରହ୍ମପୁର,୧୮/୧୦: ଦୀର୍ଘ ସାତ ଦିନର ସଂଘର୍ଷ ପରେ ଆଖି ବୁଜିଛି ଯୋଡ଼ାମୁଣ୍ଡ ନବଜାତ ଶିଶୁ। ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି। ଜନ୍ମ ପରଠାରୁ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାବେଳେ ଡାକ୍ତରମାନେ ତାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରିଥିଲେ। ତେବେ ଡାକ୍ତରଙ୍କ ନିରନ୍ତର ଚେଷ୍ଟା ସତ୍ତ୍ୱେ ଶିଶୁଟିର ଜୀବନ ରକ୍ଷା କରାଯାଇପାରିନାହିଁ। ଏହି ଘଟଣା ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର ଜଣେ ମହିଳା ଏମ୍କେସିଜି ମେଡିକାଲରେ ଏହି ବିରଳ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମ ସମୟରେ ଶିଶୁଟିର ଓଜନ ପ୍ରାୟ ୨.୬ କିଲୋଗ୍ରାମ ଥିଲା। ଶିଶୁଟିର ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଦେଖାଦେବାରୁ ତାକୁ ହସ୍ପିଟାଲର ଶିଶୁ ବିଭାଗ ଅଧୀନ ସ୍ପେଶାଲ୍ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ (ଏସ୍ଏନ୍ସିୟୁ)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ଶିଶୁଟିର ଚିକିତ୍ସା କରୁଥିଲେ।
ଏହି ନବଜାତ ଶିଶୁର ଦୁଇଟି ମୁଣ୍ଡ, ଦୁଇଟି ମେରୁଦଣ୍ଡ, ତିନୋଟି ହାତ ଓ ଦୁଇଟି ଗୋଡ଼ ଥିଲା। ତେବେ ଶିଶୁଟିର ଗୋଟିଏ ଶରୀର ସହ ଗୋଟିଏ ହୃଦୟ, ଗୋଟିଏ ଯକୃତ ଓ ସମାନ ଯୌନାଙ୍ଗ ରହିଥିଲା। ଏହା ସହିତ ମଳଦ୍ୱାର ନଥିବାରୁ ଶିଶୁଟିର ଶାରୀରିକ ଅବସ୍ଥା ଆହୁରି ଜଟିଳ ହୋଇପଡ଼ିଥିଲା। ଏଭଳି ଜଟିଳ ଶାରୀରିକ ଗଠନ ଯୋଗୁଁ ଚିକିତ୍ସା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିଲା।

ଡାକ୍ତରୀ ସୂଚନା ଅନୁଯାୟୀ, ଏହା ଏକ ବିରଳ ପ୍ରକାରର ଯୋଡ଼ା ଯମଜ ଜନ୍ମ। ଏଭଳି ଶିଶୁଙ୍କ କ୍ଷେତ୍ରରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ଜୀବନରକ୍ଷାକାରୀ ଅଙ୍ଗଗୁଡ଼ିକର ଗଠନ ଚିକିତ୍ସାକୁ ଅଧିକ ଜଟିଳ କରିଥାଏ। ଶିଶୁଟିକୁ ବଞ୍ଚାଇବା ପାଇଁ ଏମ୍କେସିଜିର ଡାକ୍ତରମାନେ ସାତ ଦିନ ଧରି ଚିକିତ୍ସା ଜାରି ରଖିଥିଲେ। ମାତ୍ର ଶେଷରେ ସମସ୍ତ ପ୍ରୟାସ ବିଫଳ ହୋଇଥିଲା।
କନ୍ଧମାଳ ଜିଲ୍ଲାରେ ଏଭଳି ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ହେବା ଘଟଣା ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ୨୦୧୭ରେ ଫିରିଙ୍ଗିଆ ବ୍ଲକ୍ର ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କ ଘଟଣା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଦୁଇ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀସ୍ଥିତ ଏମ୍ସରେ ୪୫ ଘଣ୍ଟାରୁ ଅଧିକ ସମୟ ଧରି ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଅସ୍ତ୍ରୋପଚାରର ପ୍ରାୟ ତିନି ବର୍ଷ ପରେ, ୨୦୨୦ରେ, କଟକର ଏକ ପ୍ରମୁଖ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ଏକ ଯୋଡ଼ାମୁଣ୍ଡ ନବଜାତ ଶିଶୁର ମୃତ୍ୟୁ ଘଟଣା ବିରଳ ଜନ୍ମଗତ ଜଟିଳତା ଓ ନବଜାତ ଶିଶୁଙ୍କ ଚିକିତ୍ସା ସମ୍ପର୍କିତ ଆହ୍ୱାନକୁ ସାମ୍ନାକୁ ଆଣିଛି।

Leave A Reply

Your email address will not be published.