ଇନୋଭା କାରରେ ଗଞ୍ଜେଇ ଚୋରା ଚାଲାଣ; ୩ଗିରଫ ।

0 221

ଭଞ୍ଜନଗର, ୨୩/୦୬(ପିପିଟି ):ପ୍ରତିଦିନ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ରାସ୍ତାଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି।ଅନେକ ସମୟରେ ପୋଲିସ ଓ ଅବକାରୀ ବିଭାଗ ଏହାକୁ ରୋକିବାରେ ସଫଳ ହେଉଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରିନି।ତେଣୁ ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଉପାୟରେ ସେସବୁ ଚାଲାଣ ଜାରି ରଖିଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଏକ ବଡ଼ ଧରଣର ଗଞ୍ଜେଇ ଚୋରା ରାକେଟକୁ ଧରିବାରେ ସଫଳ ହୋଇଛି।ଏକ ଟୟୋଟୋ ଇନୋଭା କ୍ରିଷ୍ଟା କାର ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ମୋଟ ୧୦୨ କେଜି ଗଞ୍ଜେଇ, ୨୨ ଶହ ଟଙ୍କା ଏବଂ ଉକ୍ତ ଗାଡିକୁ ଜବତ କରାଯାଇଛି। ଗିରଫ ୩ ଜଣ ହେଲେ ଗଞ୍ଜାମ ଜରଡ଼ା ଅଞ୍ଚଳର ପିତବାସ ମହାନ୍ତି, ଲକ୍ଷ୍ମଣ ଦାସ ଓ ବୌଦ୍ଧ ଜିଲ୍ଲାର ଧ୍ରୁବ ଦଳ ମଲ୍ଲିକ।

ସୋମବାର ଭଞ୍ଜନଗର ଥାନା ଏସଆଇ ଲକ୍ଷ୍ମୀଧର ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ନିଧିଆ ପଲି ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ କନ୍ଧମାଳ ଜିଲାରୁ ଏକ ଟୟୋଟୋ ଇନୋଭା କ୍ରିଷ୍ଟା ଗାଡି ବ୍ରହ୍ମପୁର ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଗାଡ଼ିକୁ ଦେଖି ପୁଣିଥରେ ପଛକୁ ଫେରିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସର ସନ୍ଦେହ ହେବାରୁ ଗାଡିଟିକୁ ପିଛା କରି ଦୁର୍ଗା ପ୍ରସାଦ ନିକଟରେ ତାକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ଏହାପରେ ଯାଞ୍ଚ କରିବାରୁ ଗାଡ଼ିରୁ ୪ଟି ଜରି ଅଖାରୁ ଗଞ୍ଜେଇ ବାହାରିଥିଲା।ଏହାର ଆନୁମାନିକ ମୂଲ୍ୟ୧୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।ଏନେଇ ଭଞ୍ଜନଗର ଥାନାରେ ୬୧୪/୨୬ ରେ ଏକ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଆଇଆଇସି ଜୀବନାନନ୍ଦ ଜେନା,ଏସ ଆଇ ଲଷ୍ମୀଧର ମହାନ୍ତି, ଏସ ଆଇ ଜ୍ୟୋସ୍ନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗର ପୋଲିସ ଚଳିତ ବର୍ଷ ମୋଟ ୮ଟି ଏନଡ଼ିପିଏସ ଆକ୍ଟ କେସ୍ ରେ ୩୫୬କେଜି ଗଞ୍ଜେଇ ଓ ୫୧ଗ୍ରାମ ବ୍ରାଉନ ସୁଗର ଜବତ କରିଥିବା ଜଣାପଡିଛି।

ରିପୋର୍ଟ -ଜେ.କେ ପଟ୍ଟନାୟକ

Leave A Reply

Your email address will not be published.