ଭଞ୍ଜନଗର,୦୪/୦୭(ପିପିଟି):ଗତ କିଛି ଦିନ ହେବ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ସିନ୍ଧି ଚୋରି ଘଟଣା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରି ଚୋରଙ୍କୁ ଧରିବାକୁ ଉଦ୍ୟମ ହୋଇଥିଲା। ଚୋରି ସୁନା ଗହଣା ବିକ୍ରି ପାଇଁ ଡକାୟତମାନେ ଯୋଜନା କରୁଥିବା ବେଳେ ପୋଲିସ ଟିମ୍ ସେମାନଙ୍କୁ କାବୁ କରିଥିଲା।ଭଞ୍ଜନଗର, ତାରସିଂ, ଜଗନ୍ନାଥ ପ୍ରସାଦ ଓ ବୁଗୁଡ଼ା ଥାନାର ୫ଟି ଚୋରି ଓ ଡକାୟତି ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି। ଗିରଫ ୪ ଜଣ ହେଲେ ଆସିକା କୋଟିନାଡ଼ା ଥାନା ଅନ୍ତର୍ଗତ ନୂଆ ସାହାପୁରର ଏ. ପୁତୁ ରାଜୁ , ଏ. ନାଗରାଜୁ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ଜିତୁ ନାହାକ, ଆସିକା ଥାନା ପାକଲାପଲ୍ଲୀର ଏମ ମୁନ୍ନା। ସେମାନଙ୍କ ଠାରୁ ମୋଟ ୬୬ ଗ୍ରାମ ସୁନା ଅଳଙ୍କାର, ୨କେଜି ୯୦୦ ଗ୍ରାମ ରୁପା ଅଳଙ୍କାର ଓ ଚୋରି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରି ଜବତ କରାଯାଇଛି।
ଗତ ୧୭ ତାରିଖ ରାତିରେ ଅଭିଯୁକ୍ତମାନେ ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ ତୁଳସୀପଲ୍ଲୀ ଗ୍ରାମର ସୁଶୀଲ କୁମାର ପଣ୍ଡା ରାତିରେ ନିଜ ପରିବାର ସହ ଶୋଇଥିବା ବେଳେ କିଛି ଦୁର୍ବୁତ୍ତ ଘର ପଛ କବାଟ ଭାଙ୍ଗି ଘରେ ପଶି ତାଙ୍କ ସ୍ତ୍ରୀଙ୍କ ବେକରୁ ଏକ ୧୩ଗ୍ରାମ ସୁନା ଚେନ୍ ଚୋରି କରିନେଇଥିଲେ। ଏନେଇ ସୁଶୀଲ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଶନିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡ଼ିପିଓ ଡ଼ ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।ଏହି ସମୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍ଆଇ ଜ୍ୟୋସ୍ନା ସାହୁ, ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ -ଜେ.କେ ପଟ୍ଟନାୟକ