ହିଞ୍ଜିଳିକାଟୁର ବିଭିନ୍ନ ଗଣମାଧ୍ୟମ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ।

0 235

ହିଞ୍ଜିଳିକାଟୁ,ତା-୨୯/୦୭(ପିପିଟି) ; ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କରୋନାର ଭୟଭୀତ ପରିସ୍ଥିତି ଚାଲିଛି । ଏହାକୁ ହଟାଇବା ପାଇଁ ଅନେକ କରୋନା ଯୋଦ୍ଧା ନିଜ ଉଦ୍ୟମ ଜାରି ରଖିଛନ୍ତି । ସେଥି ମଧ୍ୟରୁ ଅନ୍ୟତମ କରେନା ଯୋଦ୍ଧା ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି । ଯେଉଁମାନେ ନିଜ ପରିବାରର ସ୍ୱାର୍ଥକୁ ଛାଡ଼ି ଜୀବନକୁ ପାଣି ଛଡ଼ାଇ ଏହି ଯୁଦ୍ଧରେ ସାମିଲ ହୋଇ ଜନସାଧାରଣଙ୍କ ନିକଟରେ କରେନାର ଟିକିନିଖ ଖବର ସହ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଖବର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ କରୋନା ଜନିତ ମୃତ୍ୟୁ ଘଟିଲେ ୧୫ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଏକ ଦୁଃଖର ବିଷୟ ଗତ କିଛି ଦିନ ତଳେ ଖବର ସଂଗ୍ରହ ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦର ଦୈନିକ ଓଡ଼ିଆ ଖବରକାଗଜର ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ (ମୁନୁ) କରେନା ଜନିତ ରୋଗରେ ଆକ୍ରାନ୍ତ ହୋଇ ଗତ ୧୧ ତାରିଖରେ ଭୂବନେଶ୍ୱର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ବରଣ କରିଥିଲେ । ଯାହାକୁ ନେଇ ସାରା ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲା ଓ ହିଞ୍ଜିଳିକାଟୁ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । କରୋନା ଜନିତ ରୋଗରେ ରାଜ୍ୟର ପ୍ରଥମ ସାମ୍ବାଦିକ ଭାବେ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସାରା ରାଜ୍ୟର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦୁର୍ଭାଗ୍ୟର କଥା ସାମ୍ବାଦିକ ସ୍ୱର୍ଗତ ପଟ୍ଟନାୟକଙ୍କ ମୃତ୍ୟୁର ବହୁ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରାଯାଇନାହିଁ । ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଲକ୍ଷ ଟଙ୍କା ବୀମା ରାଶି ତାଙ୍କ ପରିବାରକୁ ପ୍ରଦାନ କରାଯାଇନାହିଁ । ଯାହାକି ଏକ ଦୁର୍ଭାଗ୍ୟ ଓ ନିନ୍ଦନୀୟକଥା ପାଲଟିଛି । ଏ ନେଇ ହିଞ୍ଜିଳିକାଟୁର ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରିତ ହୋଇ ସରକାର ଦେଇଥିବା ପ୍ରତିଶୃତି ପୁରଣ ନହେବା ସହ ଅବହେଳା କରାଯାଇଥିବାରୁ ଏହାକୁ ନିନ୍ଦା କରିଥିଲେ । ଜିଲ୍ଲା ପ୍ରଶାସନ ଓ ସରକାର ଏ ସମ୍ପର୍କରେ ଆଲୋଚନା କରି ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ସହ ତାଙ୍କ ପରିବାରକୁ ଘୋଷିତ ୧୫ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରିବାକୁ ହିଞ୍ଜିଳିକାଟୁ ସାମ୍ବାଦିକଙ୍କ ଦାବି ରହିଛି । ଏ ନେଇ ମଙ୍ଗଳବାର ହିଞ୍ଜିଳିକାଟୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ସମେତ ବହୁ ସାମ୍ବାଦିକ ପ୍ରତିିନିଧି ଉପସ୍ଥିତ ଥିଲେ ।

ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ଓ ଅଜିତ କୁମାର ପଟ୍ଟନାୟକ ।

Leave A Reply

Your email address will not be published.