ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ ।

0 279

ବେଲଗୁଣ୍ଠା,୨୧/୦୭(ପିପିଟି); ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଅଢ଼େଇ ଗାଁ ରେ କୌଣସି କଥାରେ ଉତ୍ତ୍ୟକ୍ତ ହୋଇ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ କାତିରେ ହାଣି ହତ୍ୟା କରିଥିଲା । ଏହା ସହ ଗାଁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବାରିପଟରେ ଥିବା କୁଅରେ ଏକ ପଥର ପକାଇଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ତାକୁ ଧରିବା ପାଇଁ ତଦନ୍ତକାରୀ ଅଫିସର ତଥା ବେଲଗୁଣ୍ଠା  ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଆଜି ସକାଳେ ୧୦.୩୦ ମିନିଟ ସମୟରେ ଅଢ଼େଇ ଗାଁ ନିକଟସ୍ଥ ଜଙ୍ଗଲ ପାଖରୁ ହତ୍ୟାକାରୀ ଅନ୍ତର୍ଯ୍ୟାମୀ ଗୌଡ ଓରଫ ଡାକ (୪୦)କୁ ବେଲଗୁଣ୍ଠା ପୋଲିସ ଗିରଫ କରିବା ସହ ହତ୍ୟା ରେ ବ୍ୟବହୃତ କାତିକୁ ମଧ୍ୟ ଜବତ କରିଛି । ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ତାକୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି । ପ୍ରକାଶ ଥାଉ କି,ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମର କୃଷ୍ଣ ଚନ୍ଦ୍ର ଗୌଡଙ୍କ ଭଉଣୀ ରଶ୍ମିତା ଗୌଡ(୩୨) ଅଢେଇଗାଁର ସ୍ୱର୍ଗତ ନରସିଂହ ଗୌଡଙ୍କ ପୁଅ ଅନ୍ତର୍ଯ୍ୟାମୀ ଗୌଡ ଓରଫ ଡାକ ସହିତ ୧୫ ବର୍ଷ ତଳେ ବୈଦିକ ରିତିରେ ଯାନିଯୌତୁକ ସହ ବିବାହ କରିଥିଲେ । ଡାକ କିଛି କାମ ନ କରି ପ୍ରତିଦିନ ମଦ ପିଇକି ଆସି ସ୍ତ୍ରୀ ରଶ୍ମିତାକୁ ମାରପିଟ କରୁଥିଲେ । ଅତିରିକ୍ତ ୫ ଲକ୍ଷ ଟଙ୍କା ଆଣିବା ପାଇଁ ଡାକ ଓ ତାର ଭଉଣୀ ସଂଜୁ ଗୌଡ ଓ ଜ୍ୱାଇଁ ଚରଣ ଗୌଡ ରଶ୍ମିତାକୁ ଚାପ ପକାଇ ଆସୁଥିଲେ । ଏହା ସହ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ।ଗୁରୁବାର ରାତ୍ରରେ ଡାକ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ରଶ୍ମିତାକୁ ମାଡ ମାରିବା ସହ ବିଭିନ୍ନ କଥାକୁ ନେଇ ଯୁକ୍ତିତର୍କ କରିଥିଲା । ମଧ୍ୟରାତ୍ର ପ୍ରାୟ ଗୋଟାଏ ବେଳେ ଏକ କାତିରେ ରଶ୍ମିତାର ମୁଣ୍ଡ ଓ ଛାତିକୁ ଡାକ ହାଣି ଦେଇଥିଲା । ରଶ୍ମିତା ଓ ଡାକର ମାଁର ପାଟି ଶୁଣି ସାହି ପଡିଶା ଆସିଯିବାରୁ ଡାକ ବାରିପଟେ ଦୌଡ଼ି ପଳେଇ ଯାଇ ବାରିପଟେ ଥିବା କୁଅରେ ଡେଇଁ ପଡିବାର ବାହାନା କରି ନିକଟରେ ପଡିଥିବା ଏକ ପଥର ଉଠେଇ କୁଅ ଭିତର ପକେଇ ଦେଇଥିଲା ଏବଂ ସେଠାରୁ ଚତୁରତାର ସହ କେଉଁଆଡେ ଫେରାର ହୋଇଯାଇଥିଲା । ସାହିବାସିନ୍ଦା ମୁର୍ମୁଷୁ ଅବସ୍ଥାରେ ରଶ୍ମିତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିବା ସହ ବେଲଗୁଣ୍ଠା ଦମକଳ ବାହିନୀକୁ ଖବର ଦେଇଥିଲେ । ବେଲଗୁଣ୍ଠାରୁ ଦମକଳ ବାହିନୀ ଆସି କୁଅରେ ଖୋଜାଖୋଜି କରିଥିଲେ ମଧ୍ୟ ହତ୍ୟାକାରୀ ଡାକର କୌଣସି ସନ୍ଧାନ ନପାଇ ଫେରିଯାଇଥିଲେ । ରଶ୍ମିତାର ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ନେବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଥିଲା । ଏ ନେଇ ମୃତ ରଶ୍ମିତାଙ୍କ ଭାଇ କୃଷ୍ଣ ରଶ୍ମିତାଙ୍କ ସ୍ୱାମୀ ଡାକ ଓ ତାର ଭଉଣୀ,ଭିଣୋଇ ନାମରେ ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେଇଥିଲେ । ବେଲଗୁଣ୍ଠା ପୋଲିସ ୩୮୧/୨୦ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.